ଏନ୍ଏନ୍ ବ୍ୟୁରୋ। କାଳ ହେଲା କେନାଲ ଖୋଲା। ଚାଷ ଜମିକୁ ଜଳ ଯୋଗାଣ ପାଇଁ କେନାଲ ଖନନ ବେଳେ ଅଘଟଣ। ମାଟି ଅତଡା ଧସି ଦୁଇ ଜଣଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଦୁଙ୍ଗୁରୀଗୁଡ଼ା ଗାଁରେ। ମୃତକମାନେ ହେଲେ ଦୁଙ୍ଗୁରୀଗୁଡ଼ା ଗାଁର ଗଣେଶ ବାଗ ଓ ପରଦେଶୀ ଭୋଇ। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ପୋଲିସ।
ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକର ଦୁଙ୍ଗୁରୀଗୁଡ଼ା ଗାଁରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚିନ୍ତାରେ ଚାଷୀ।ଏଥିପାଇଁ ଗାଁର ଗଣେଶ ବାଗ ଓ ପରଦେଶୀ ଭୋଇ ଚାଷ ଜମି ପାଖରେ ଥିବା ପୋଖରୀ ହିଡ଼ କାଟି ବିଲକୁ ପାଣି ମଡ଼ାଇବା ପାଇଁ କେନାଲ ତିଆରି କରୁଥିଲେ। ହେଲେ ଏ ସମୟରେ ପୋଖରୀ ହିଡ଼ ମାଟି ଧସି ଯାଇଥିଲା। ଫଳରେ ଉଭୟେ ମାଟିତଳେ ଚାପି ହୋଇ ଯାଇଥିଲେ। ଏନେଇ ଖବର ପାଇ ଦୁଙ୍ଗୁରୀଗୁଡ଼ା ଗ୍ରାମବାସୀ ଟିଟିଲାଗଡ ଅଗ୍ନିଶମ ଓ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଟିଟିଲାଗଡ ଅଗ୍ନିଶମ କର୍ମଚାରୀ ଓ ପୋଲିସ। ଦୀର୍ଘ ସମୟର ପରିଶ୍ରମ ପରେ ମାଟି ତଳୁ ଗଣେଶ ବାଗ ଓ ପରଦେଶୀ ଭୋଇଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଡାକ୍ତରଖାନାକୁ ପଠାଯାଇଛି। ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।
