ଏନ୍ଏନ୍ ବ୍ୟୁରୋ। ସମ୍ବଲପୁରୀ ଦିନ ଉପଲକ୍ଷେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏ ଅବସରରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ୧୦ ମାଇଲଠାରେ ମଧ୍ୟ କବି ଶ୍ରୀଧର ପଧାନଙ୍କ ୧୦୦ତମ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଅତିଥି ଭାବରେ ଯୋଗଦେଇ ସମ୍ବଲପୁରୀ ଦିନ ପାଳନର ମହନୀୟତା ଉପରେ ବଖାଣିଥିଲେ। ୧୦ ମାଇଲ୍ ବିକାଶ ପରିଷଦ, ୧୦ ମାଇଲ ଛାଏଁ ଛାଏଁରା କଳାପଟା, ୧୦ ମାଇଲ୍ ନଅଗାଁ ବରଗଡ ଲେଖକ ପରିଷଦ ଓ ବିଶିପାଲି ଶ୍ରୀଧର ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ସମ୍ବଲପୁରୀ ଦିନ ଯାକଜମକରେ ପାଳିତ ହୋଇଥିଲା ।
ଏ ଅବସରରେ ବିଭିନ୍ନ ଦିଗରେ ପାରଦର୍ଶିତା ଅର୍ଜନ କରିଥିବା ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ପଦ୍ମଶ୍ରୀ ହଳଧର ନାଗଙ୍କୁ ଶ୍ରୀଧର କାବ୍ୟ ସମ୍ମାନ, ସରୋଜ ଭୋଇଙ୍କୁ ଶ୍ରୀଧର ଆଦର୍ଶ ଶିକ୍ଷକ ସମ୍ମାନ, ସୌରାଜ୍ ପ୍ରଧାନଙ୍କୁ ଶ୍ରୀଧର ଗୀତି କବି ସମ୍ମାନ, କେଶରଞ୍ଜନ ପ୍ରଧାନଙ୍କୁ ଶ୍ରୀଧର ନାଟ୍ୟ ଗୌରବ ସମ୍ମାନ ଓ ଅମୂଲ୍ୟ ଭୋଇଙ୍କୁ ଶ୍ରୀଧର ଚିତ୍ର ଶିଳ୍ପୀ ସମ୍ମାନରେ ସମ୍ମାନିତ କରିଥିଲେ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ।
