ଆମ ପାଠାଗାର ଅଭିଯାନର ଦ୍ୱିତୀୟ ପାଠାଗାର “ଆଶ୍ରୟ”ର ସ୍ଥାପନା

ଓଡ଼ିଶାବଡ଼ ଖବରସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ‘ଆମ ପାଠାଗାର’ ଅଭିଯାନର ଦ୍ଵିତୀୟ କାର୍ଯ୍ୟକ୍ରମ ପାଇଁ ପ୍ରେସ ମିଟ୍ – ଦାସିଆ ଅଜାଙ୍କ ଦ୍ଵାରା ପରିକଳ୍ପିତ ଓଡିଶା ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବା ପାଇଁ ଅଭିନେତ୍ରୀ ତଥା ସାମାଜ ସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ଅନନ୍ୟ ଅଭିଯାନ। ଶୁକ୍ରବାର ୪ ଟା ସମୟରେ ବାଣୀ ବିହାରର ଏକ ହଟେଲରେ ଅଭିଯାନର ପ୍ରେସ ମିଟ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିଭୁତି ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ, ପ୍ରଖ୍ୟାତ ଲେଖକ ଦାଶ ବେନହୁର, ପ୍ରଖ୍ୟାତ ଲେଖିକା ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ , ପ୍ରଖ୍ୟାତ ଗୀତିକାର ତଥା ଲେଖକ ବିଜୟ ମଲ୍ଲ, ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ, ଲେଖକ ତଥା ଟାଇମ୍ ପାସ୍ ପ୍ରକାଶକ ସରୋଜ ବଳ ଏବଂ ବର୍ଷା ପ୍ରିୟଦର୍ଶିନୀ ଆଦି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଓଡିଶାରେ ବିଭିନ୍ନ ସୁବିଧାରୁ ବଞ୍ଚିତ ଶିଶୁଙ୍କ ପୁନର୍ବାସ ସମ୍ପର୍କିତ ସେବା କାର୍ଯ୍ୟ କରିବା ସହ ଭୁବନେଶ୍ୱରର ଡମଣାରେ ଏକ ବସ୍ତିର ‘ମଧୁଶାଳା’କୁ “ପାଠଶାଳା”ରେ ପରିଣତ କରିବା ପାଇଁ ସମାଜସେବୀ ରତ୍ନାକର ସାହୁଙ୍କ ମହତ ପଦକ୍ଷେପ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।

ଦାଶିଆ ଅଜା ଭାବରେ ଜଣାଶୁଣା, ସ୍ବର୍ଗତ ଦାଶରଥୀ ପଟ୍ଟନାୟକ, ଓଡିଶାର ପାଠାଗାର ଆନ୍ଦୋଳନର ଅଗ୍ରଣୀ ସଂଗ୍ରାମୀ ଥିଲେ। ନିଜ ପେଢିରେ ଥିବା ମାତ୍ର ୫ଟି ପୁସ୍ତକରୁ ଆରମ୍ଭ କରି ସେ ଏକ ପାଠାଗାର ପ୍ରତିଷ୍ଠା କରିଥିଲେ, ଯେଉଁଥିରେ ବର୍ତ୍ତମାନ ୧.୫ ଲକ୍ଷରୁ ଅଧିକ ପୁସ୍ତକ, ପତ୍ରିକା, ଖଜୁରୀ ପତ୍ର ପାଣ୍ଡୁଲିପି,ଛବି ଏବଂ ଅନ୍ୟାନ୍ୟ ଅନୁସନ୍ଧାନମୂଳକ ପୁସ୍ତକ ଓ ସାମଗ୍ରୀ ରହିଛି। ଦାସିଆ ଅଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପାଠାଗାର ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ତଥା ସମାଜ ସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହା ଏକ ଅନନ୍ୟ ପ୍ରୟାସ ।

ଏହି ଅଭିଯାନର ଏକ ଅଂଶ ଭାବରେ, ଓଡିଶା ତଥା ଅନ୍ୟାନ୍ୟ ପ୍ରାନ୍ତରୁ ଇଚ୍ଛୁକ ଦାତାମାନଙ୍କ ଠାରୁ ପୁସ୍ତକ ସଂଗ୍ରହ କରି ରାଜ୍ୟର ଅଭାବି ଲୋକଙ୍କୁ ପୁସ୍ତକ ଦାନ କରିବା ସହ ପ୍ରତ୍ୟେକ ଜିଲ୍ଲାରେ ପାଠାଗାର ସ୍ଥାପନକୁ ଉତ୍ସାହିତ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ପୁସ୍ତକ ସଂଗ୍ରହ ହୋଇ ସାରିଲାଣି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପତିତ ଉଦ୍ଧାର ସମିତି ଦ୍ୱାରା ପରିଚାଳିତ “ଆଶ୍ରୟ” ବୃଦ୍ଧାଶ୍ରମ, ୟୁନିଟ୍ -6 ଭୁବନେଶ୍ୱର ଠାରେ ବର୍ଷା ପ୍ରିୟଦର୍ଶିନୀ ଏକ ପାଠାଗାରର ସ୍ଥାପନା କରିଥିଲେ। ସେ ଆଶ୍ରମର ବୃଦ୍ଧ ଅନ୍ତେବାସୀ ମାନଙ୍କ ସହିତ ସମୟ ବିତାଇବା ସାଙ୍ଗକୁ ପୁରାଣ ଏବଂ ଧର୍ମଗ୍ରନ୍ଥ ଠାରୁ ଆରମ୍ଭ କରି କାଳ୍ପନିକ ଉପନ୍ୟାସ ଏବଂ ଆତ୍ମଜୀବନୀ ପର୍ଯ୍ୟନ୍ତ ବିଭିନ୍ନ ବିଷୟବସ୍ତୁ ଆଧାରିତ ପୁସ୍ତକ ଅନ୍ତେବାସୀମାନଙ୍କୁ ଦାନ କରିଥିଲେ। ଆଶ୍ରୟର ଅନ୍ତେବାସୀମାନେ ତାଙ୍କୁ ସେମାନଙ୍କ ମଧ୍ୟରେ ପାଇ ଅତ୍ୟଧିକ ଆନନ୍ଦିତ ହୋଇଥିଲେ ଏବଂ ସେମାନେ ନୂତନ ଭାବରେ ସ୍ଥାପିତ ପାଠାଗାରର ସଦୁପଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।