ଜୟ କୋଶଲ ସଂଗଠନର ଚାଷୀ ଚିନ୍ତା

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ପ୍ରତି ବର୍ଷ ବଲାଙ୍ଗିର ଜିଲ୍ଲାର ଚାଷୀ ଶୋଷଣର ଶିକାର ହେଉଛନ୍ତି। ମଣ୍ଡି ଅବ୍ୟଵସ୍ଥା ଲାଗି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୁଏ। ତେଣୁ ଏ ବର୍ଷ ଯେମିତି ଏଭଳି ସମସ୍ୟାର ସମ୍ମୁଖୀନ ନ ହେବ ସେଥିଲାଗି ଆଗେଇ ଆସିଛି ଜୟ କୋସଲ କୃଷକ ସଂଗଠନ। ଜିଲ୍ଲାର ବେଲପଡ଼ା ବ୍ଲକରେ ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ଅଣ୍ଟା ଭିଡ଼ିଛି ଏହି ସଙ୍ଗଠନ। ପଞ୍ଚାୟତ ପଞ୍ଚାୟତ ବୁଲି ଚାଷୀଙ୍କୁ ସଙ୍ଗଠିତ କରିବା ସହିତ ସଚେତନ କରୁଛି।

ଏନେଇ ରବିବାର ଧୁମାଭଟା ଗୋରୁ ବଜାରଠାରେ ଏକ ପଞ୍ଚାୟତ ସ୍ତରିୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡି ବ୍ୟବସ୍ଥାରେ କେବଳ ୧୦ % ଚାଷୀ ଉପକୃତ ହେଉଥିବା ବେଳେ ଅନ୍ୟ ଚାଷୀ ମାନେ ଦଲାଲ ହାତରେ ନିଜର ପରିଶ୍ରମିକକୁ ଟେକି ଦେଇଥାନ୍ତି। ଏଣୁ ସମସ୍ତ ଚାଷୀ କେମିତି ମଣ୍ଡି ବ୍ୟବସ୍ଥାର ଫାଇଦା ଉଠାଇ ପାରିବେ ସେନେଇ ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିଛି ବୋଲି ଚାଷୀନେତା ବିନୋଦ ମଲ୍ଲିକ କହିଛନ୍ତି।

କେବଳ ଏତିକି ନୁହେଁ, ଆହୁରି କିଛି ମଣ୍ଡି ଗୁଡିକରେ ଚାଷୀମାନଙ୍କୁ ହଇରାଣ କରାଯାଉଛି। କଟଣି ଛଟଣି ନାଁରେ ଚାଷୀଙ୍କୁ ଲୁଟ୍ କରାଯାଉଛି। ଏଣୁ ଆଗାମୀ ଦିନରେ ଏହା ବିରୋଧରେ ଏକଜୁଟ୍ ହେବାକୁ ଆହ୍ୱାନ କରିଛି ସଙ୍ଗଠନ ।