ନବନୀତା ବ୍ୟୁରୋ। ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା। ଦୁଇ ଦିନ ମଧ୍ୟରେ ହଜାରେ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ୫୬୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୪୯୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ନୂଆ ରୋଗୀ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏପରିକି ଦୁଇ ଦିନ ଭିତରେ ୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏଥିସହ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଜି ଗୋଟିଏ ଦିନରେ ସର୍ବାଧିକ ୪୯୫ ରୋଗୀ ଚିହ୍ନଟ ହୋଇଛନ୍ତି। ତାସହ ୫ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ୩୯୫ ମଧ୍ୟରୁ ୩୫୫ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୪୦ ସ୍ଥାନୀୟ ସଂକ୍ରମଣ ବୋଲି ଦର୍ଶାଯାଇଛି। ତେବେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ୨୧୬ ଜଣ ରୋଗୀ ଚିହ୍ନଟ ସହ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୬ କୁ ବୃଦ୍ଧି ପାଇଛି। ଏବଂ ମହାମାରୀ କରୋନାରେ ମୃତକ ସଂଖ୍ୟା ୨୦ ଛୁଇଁଛି। ସେହିପରି ଖୋର୍ଦ୍ଧାରେ ୫୦ ନୂଆ ରୋଗୀ ଚିହ୍ନଟ ହେବା ସହ ପୁଣି ଦୁଇ ଜଣଙ୍କ ମୁଣ୍ଡ ନେଇଛି କରୋନା। ଜିଲ୍ଲାରେ ଏଯାଏ ୯୪୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ଜୀବନ ଗଲାଣି। ସୁନ୍ଦରଗଡରେ ୩୬, ମୟୂରଭଞ୍ଜରେ ୨୮,ଅନୁଗୋଳରେ ୨୪ ଓ ପୁରୀରେ ୧୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ଏପଟେ ପଶ୍ଚିମ ଓଡ଼ିଶାର ସ୍ଥିତି ମଧ୍ୟ ଅସମ୍ଭାଳ ହେବାରେ ଲାଗିଛି। ଏଯାଏ ସାରା ପଶ୍ଚିମ ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୧୧୦୪କୁ ବୃଦ୍ଧି ପାଇବା ସହ କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି। ୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୬୦ ସକ୍ରିୟ ରୋଗୀ ରହିଛନ୍ତି। ତେବେ ସବୁଠାରୁ ଅଧିକ ରୋଗୀ ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୫୬ ମଧ୍ୟରୁ ୧୭୬ ସୁସ୍ଥ, ୮୦ ସକ୍ରିୟ ରହିଛନ୍ତି। ଦ୍ଵିତୀୟରେ ରହିଛି ବଲାଙ୍ଗିର ଜିଲ୍ଲା। ୨୧୩ ରୋଗୀ ମଧ୍ୟରୁ ୧୫୩ ସୁସ୍ଥ ହୋଇଥିବା ବେଳେ ୬୦ ସକ୍ରିୟ ରୋଗୀ ରହିଛନ୍ତି। ଏହାପରେ ବରଗଡ଼ ଓ ଝାରସୁଗୁଡା ଜିଲ୍ଲାରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି। ଉଭୟ ଜିଲ୍ଲାରେ କରୋନା ରୋଗୀ ସଂଖ୍ୟା ଶତକ ଡେଇଁ ସାରିଛି। ବରଗଡ଼ରେ ୧୩୩ରୁ ୬୪ ସୁସ୍ଥ, ୬୮ ସକ୍ରିୟ, ଝାରସୁଗୁଡାରେ ୧୨୮ରୁ ୪୯ ସୁସ୍ଥ, ୭୯ ସକ୍ରିୟ, ନୂଆପଡାରେ ୮୨ରୁ ୭୮ ସୁସ୍ଥ, ୪ ସକ୍ରିୟ, କଳାହାଣ୍ଡିରେ ୭୬ରୁ ୭୦ ସୁସ୍ଥ, ୬ ସକ୍ରିୟ, ସମ୍ବଲପୁରରେ ୭୦ରୁ ୩୬ ସୁସ୍ଥ, ୩୪ ସକ୍ରିୟ, ଦେବଗଡରେ ୬୨ରୁ ୪୨ ସୁସ୍ଥ, ୨୦ ସକ୍ରିୟ, ବୌଦ୍ଧରେ ୪୫ରୁ ୪୦ ସୁସ୍ଥ, ୫ ସକ୍ରିୟ ଏବଂ ସୋନପୁରରେ ୩୯ରୁ ୩୫ ସୁସ୍ଥ ହୋଇଥିବା ବେଳେ ୪ ସକ୍ରିୟ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ ଏଯାଏ ରାଜ୍ୟର ମୋଟ ରୋଗୀ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇବା ସହ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ୮୬୦୧ ରୋଗୀ ମଧ୍ୟରୁ ୫୭୦୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୮୫୩ ରୋଗୀ ସକ୍ରିୟ ରହିଛନ୍ତି।
