ନବନୀତା ବ୍ୟୁରୋ। ପୁଣି ଚର୍ଚ୍ଚାରେ ବିଲାଇସର୍ଡା ପଞ୍ଚାୟତ। ସବୁବେଳେ ରାଜନୀତିକୁ ନେଇ ଖବରର ଶିରୋନାମାରେ ରହି ଆସୁଥିବା ଏହି ପଞ୍ଚାୟତ ଏବେ ମହାଘୋଟାଲାକୁ ନେଇ ଚର୍ଚ୍ଚାରେ। ସୀମା ଡେଇଁ ଯାଇଛି ଦୁର୍ନୀତି। ନାମକୁ ମାତ୍ର କାମ କରି ଲକ୍ଷାଧିକ ଟଙ୍କା ବିଲ କରି ଉଠା ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସରପଞ୍ଚ, ଠିକାଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପଞ୍ଚାୟତର ବିକାଶ ହେବା ପରିବର୍ତ୍ତେ ବିନାଶ ଆଡକୁ ଗତି କରୁଛି। ଅଞ୍ଚଳର ବିକାଶ ତ ନୁହଁ ବରଂ ସରପଞ୍ଚ, ଇଓ ଓ ସରପଞ୍ଚଙ୍କ ମାତ୍ରାଧିକ ବିକାଶ ହୋଇଛି ଏଥିରେ କୌଣସି ସନ୍ଦେହ ନାହିଁ।
ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲାଇସର୍ଡା ପଞ୍ଚାୟତ। ଏବେ ମହାଦୁର୍ନୀତିରେ ଉବୁଟୁବୁ। ଜିଆରଏସ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ପରେ ଦୁର୍ନୀତିର ଗନ୍ଧ ବାରି ହୋଇଥିଲା। ପଞ୍ଚାୟତରେ ଜାଲିଆତି କରି ଅନେକ ପ୍ରକଳ୍ପର ଟଙ୍କା ଉଠା ଯାଇଛି। ଦୁର୍ନୀତି ହୋଇଥିବା ଅନେକ କାର୍ଯ୍ୟର ଦସ୍ତାବିଜ୍ ଏବେ ନବନୀତା ହାତରେ ଲାଗିଛି। ପଞ୍ଚାୟତ ଘୋଟାଲା ନେଇ ନବନୀତା ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟତଃ ଦୁଇଟି ପ୍ରସଙ୍ଗକୁ ନେଇ ପ୍ରଥମେ ଲୋକଲୋଚନକୁ ଆଣିବାର ପ୍ରୟାସ କରାଯାଇଛି। ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ମରାମତି ଓ ସଫେଇ କାର୍ଯ୍ୟରେ କମ୍ ଟଙ୍କା ଖର୍ଚ୍ଚ କରି ଲକ୍ଷାଧିକ ଟଙ୍କା ହରିଲୁଟ୍ କରାଯାଇଛି।

ଅଭିଯୋଗ ଅନୁସାରେ, ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ବିଲାଇସର୍ଡା ଗାଁରେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ମରାମତି କରାଯାଇଥିଲା। ଏଥିପାଇଁ ୫ ଲକ୍ଷ ୯୮ ହଜାର ୯୮୦ ଟଙ୍କା ଖର୍ଚ୍ଚ କରାଯାଇଥିବା ଉଲ୍ଲେଖ କରାଯାଇଛି। ହେଲେ ବାସ୍ତବରେ ପ୍ରକଳ୍ପ ମରାମତି କାର୍ଯ୍ୟ ଲକ୍ଷେ ଟଙ୍କା ବି କରାଯାଇ ନାହିଁ। ପାଖାପାଖି ୭୦/୮୦ ହଜାର ଟଙ୍କା ଖର୍ଚ୍ଚ କରି ବାକି ୫ ଲକ୍ଷ ଟଙ୍କା ଉଠେଇ ନିଆ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଗାଁ ସଫେଇ କାର୍ଯ୍ୟରେ ବି ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୭୫ ହଜାର ଟଙ୍କା ଖର୍ଚ୍ଚ କରି ୧ ଲକ୍ଷ ୪୬ ହଜାର ୫୩୯ ଟଙ୍କା ବିଲ କରି ଉଠା ଯାଇ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ତେବେ ନଳକୁଆଁ ଚାନ୍ଦିନୀ ନିର୍ମାଣରେ ଏମିତି ଦୁର୍ନୀତି ହୋଇଛି ଯେ, ଏହା ଶୁଣିଲେ ଯେ କେହି ଶୁଣିଲେ ବି ତାଜୁବ୍ ହୋଇ ଯିବେ। ଜଣେ ଠିକାଦାରଙ୍କ କହିବା ଅନୁସାରେ ଚାନ୍ଦିନୀ ତିଆରି ପାଇଁ ୧୦/୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ହେଲେ ବନ୍ଦନାକଟା ଓ ବିଲାଇସର୍ଡା ଗାଁରେ ତିଆରି କରାଯାଇଥିବା ଚାନ୍ଦିନୀ କାମରେ ପ୍ରାୟ ଲକ୍ଷେ ଟଙ୍କା ଲେଖାଏଁ ବିଲ୍ ଉଠିଛି। ୧୦ ହଜାର ଟଙ୍କାର କାମ କରି ଏହାର ୧୦ ଗୁଣ ଅଧିକ ଟଙ୍କା ଉଠା ଯାଇଛି। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ପଞ୍ଚାୟତରେ କିଭଳି ପରିମାଣରେ ଦୁର୍ନୀତି ହୋଇଛି।

ଏନେଇ ଇଓ ଫକୀର ମିଶ୍ରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ହେଲେ ଫୋନ୍ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। କେବଳ ଏହି ଘଟଣାରେ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ଯୋଗାଯୋଗ କରିଥିଲେ ବି ଇଓ ଫୋନ୍ ଉଠାଉନଥିବା ନଜିର ରହିଛି।
ଏହା ପରେ ତତ୍କାଳୀନ ଜେଇ ନରେନ୍ଦ୍ର କୁମାର୍ ନାୟକଙ୍କୁ ମୋବାଇଲ୍ ନଂ- 79780 77125 ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ହେଲେ ମୋବାଇଲ୍ ନମ୍ବର୍ ସ୍ଵିଚ୍ ଅଫ୍ ଥିବାରୁ ତାଙ୍କ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।
ସେପଟେ ଏ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଡିଓ ରବି ନାରାୟଣ ଆଚାର୍ଯ୍ୟ। ସେ କହିଛନ୍ତି, ଗତ ୩ ମାସ ହେଲା ସେ ଦାୟିତ୍ଵ ଗ୍ରହଣ କରିଥିବାରୁ ଏନେଇ କିଛି ଜାଣି ନାହାନ୍ତି। ଏଯାଏ ଘଟଣା ସମ୍ପର୍କରେ କୌଣସି ଅଭିଯୋଗ ଅସିନି, ଅଭିଯୋଗ ଆସିଲେ ବିଚାର କରାଯିବ ବୋଲି ସେ କହିଛନ୍ତି।
