କୋସଲରେ କରୋନା: ଗୋଟିଏ ଦିନରେ ୪୭ ଚିହ୍ନଟ ଓ ଜଣେ ମୃତ, ପଶ୍ଚିମ ଓଡ଼ିଶାରେ ମୋଟ ରୋଗୀ ସଂଖ୍ୟା ୬୯୫କୁ ବୃଦ୍ଧି

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। କୋସଲରେ କରୋନା କହର। ସବୁ ଜିଲ୍ଲାରେ କାୟା ବିସ୍ତାର କରି ଚାଲିଛି ଏହି ମହାମାରୀ। କିଛି ଦିନ ତଳେ କରୋନା ମୁକ୍ତ ହୋଇଥିବା ସୋନପୁର ଜିଲ୍ଲାରେ ପୁଣି ୬ ରୋଗୀ ଚିହ୍ନଟ ହୋଇ ସାରିଲେଣି। ତେବେ ଗତକାଲି ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାରେ ସର୍ବାଧିକ ୪୭ ରୋଗୀ ଚିହ୍ନଟ ହୋଇଥିବାବେଳେ ପ୍ରଥମ କରି ଜଣେ ରୋଗୀର ମୃତ୍ୟୁ ଘଟିଛି। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ସୂଚନା ଅନୁସାରେ ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୪୭ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଅଧିକ ୨୫ ରୋଗୀ ଝାରସୁଗୁଡ଼ା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡରେ ୧୪ ରୋଗୀ ଚିହ୍ନଟ ସହ ଜଣେ ୭୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି। ସେହିପରି ସୋନପୁର ଜିଲ୍ଲାରେ ୪, ସମ୍ବଲପୁରରେ ୨ ଓ ବଲାଙ୍ଗିର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।


ଏବେ ସୁଦ୍ଧା ପଶ୍ଚିମ ଓଡ଼ିଶାରେ ମୋଟ ରୋଗୀ ସଂଖ୍ୟା ୬୯୫କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୫୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧୭୫ ରୋଗୀ ସକ୍ରିୟ ରହିଛନ୍ତି। ତେବେ କେବଳ ଜଣେ ରୋଗୀର ମୃତ୍ୟୁ ଘଟିଛି ପଶ୍ଚିମ ଓଡ଼ିଶାରେ। ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲାର ଜଣେ ୭୬ ବର୍ଷୀୟ ପୁରୁଷ।
ଏବେ ନଜର ପକାଇବା ପଶ୍ଚିମ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ସଂକ୍ରମିତ ହୋଇଛନ୍ତି। ସବୁଠାରୁ ଶୀର୍ଷରେ ରହିଛି ବଲାଙ୍ଗିର ଜିଲ୍ଲା। ଏବେ ସୁଦ୍ଧା ଜିଲ୍ଲାରେ ୧୫୧ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୨୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨ ଜଣ ସକ୍ରିୟ ରହିଛନ୍ତି। ତା ତଳକୁ ଦ୍ଵିତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ଚିହ୍ନଟ ୧୪୭ ରୋଗୀ ମଧ୍ୟରୁ ୧୨୫ ସୁସ୍ଥ ହୋଇଥିବା ବେଳେ ୨୨ ସକ୍ରିୟ ରହିଛନ୍ତି। ସେହିପରି ନୂଆପଡାରେ ୭୯ରୁ ୭୧ ସୁସ୍ଥ, ୮ ସକ୍ରିୟ, ବରଗଡ଼ରେ ୬୬ରୁ ୧୮ ସୁସ୍ଥ, ୪୭ ସକ୍ରିୟ ଓ ଜଣେ ମୃତ, କଳାହାଣ୍ଡିରେ ୬୪ ଚିହ୍ନଟ ମଧ୍ୟରୁ ୩୮ ସୁସ୍ଥ, ୨୬ ସକ୍ରିୟ, ଝାରସୁଗୁଡ଼ାରେ ୪୬ରୁ ୧୮ ସୁସ୍ଥ, ୨୮ ସକ୍ରିୟ, ଦେବଗଡରେ ୪୧ରୁ ୩୮ ସୁସ୍ଥ, ୩ ସକ୍ରିୟ, ବୌଦ୍ଧରେ ୪୦ରୁ ୩୫ ସୁସ୍ଥ, ୫ ସକ୍ରିୟ, ସୋନପୁରରେ ୩୫ରୁ ୨୯ ସୁସ୍ଥ, ୬ ସକ୍ରିୟ ଓ ସମ୍ବଲପୁରରେ ୨୬ ଚିହ୍ନଟ ରୋଗୀ ମଧ୍ୟରୁ ୧୮ ସୁସ୍ଥ ହୋଇଥିବା ବେଳେ ୮ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।


ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ରାଜ୍ୟର ମୋଟ ରୋଗୀ ସଂଖ୍ୟା ୫୧୬୦କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୩୫୩୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬୦୭ ସକ୍ରିୟ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ମହାମାରୀ କରୋନାରେ ଏବେ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୫ ଜଣଙ୍କ ମୃତ୍ୟୁ ଅନ୍ୟ କାରଣରୁ ଘଟିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।