ନବନୀତା ବ୍ୟୁରୋ। ପାଠ ପଢିବାର ଯଦି ଇଛା ଥାଏ ତେବେ ଉପାୟ ଆପେ ଆପେ ଆସେ। ଆଉ ଯଦି ଗୁରୁଙ୍କ ପାଠ ପଢ଼ାଇବା ସହ ଶିଷ୍ୟର ଉନ୍ନତି ଚାହୁଁଥିବ ତେବେ ଯେତେ ବାଧା ବିଘ୍ନ ହେଲେ ବି ସମୟ ବାହାର କରି ପଢ଼ାଇବ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲାର ଏକ କ୍ୱାରାଣ୍ଟେଇନ କେନ୍ଦ୍ରରେ। ଛାତ୍ରୀଙ୍କ ପଢ଼ିବାର ଇଛା ତା ସାଙ୍ଗକୁ ଶିକ୍ଷକଙ୍କ ପଢ଼ାଇବା ସ୍ପୃହା ହେତୁ ଏକ ଛାତ୍ରୀ କ୍ୱାରାଣ୍ଟେଇନ ଘରେ ବି ରୀତିମତ ପାଠ ପଢା ଜାରି ରଖିଛି। କରୋନାର ଭୟାବହତାକୁ ଭୁଲି ଶିକ୍ଷକ ଜଣଙ୍କ କ୍ୱାରାଣ୍ଟେଇନ ହୋମକୁ ଯାଇ ଜଣେ ଛାତ୍ରୀଙ୍କୁ ପାଠ ପଢ଼ାଇ ସମଗ୍ର ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଶିକ୍ଷକ ଜଣକ ହେଲେ ଚିକିଟି ଧାନଘର ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦୀପ୍ତ ପଟନାୟକ। ଏମ୍ ସାବିତ୍ରୀ ନାମକ ଏକ ଛାତ୍ରୀ କୋଟଲିଙ୍ଗୀ ରାଧାକାନ୍ତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ। ବାପା ଆନ୍ଧ୍ର ଶ୍ରୀକାକୁଲମରେ କାମ କରନ୍ତି ଶ୍ରମିକ ଭାବେ। ଲକ ଡାଉନ ପୂର୍ବରୁ ଜଣେ ସମ୍ପର୍କୀୟଙ୍କ ଭୋଜି ଖାଇବାକୁ ସାବିତ୍ରୀ ଓ ତାଙ୍କ ମା ଯାଇ ଶ୍ରୀକାକୁଲମରେ ଫସି ଯାଇଥିଲେ। ସେଠାରୁ ଫେରିବାକୁ ଚାହିଁବାରୁ ସ୍ଥାନୀୟ ପ୍ରଶାସନ ୨୧ ଦିନ କ୍ୱାରାଣ୍ଟେଇନରେ ରଖି ପରେ ଗାଁକୁ ଛାଡ଼ି ଦେଇଥିଲେ। ହେଲେ ଏଠାକୁ ଗତ ୫ ତାରିଖରେ ଆସିଥିଲେ। ଏଠି ମଧ୍ୟ ସ୍ଥାନୀୟ ସ୍କୁଲରେ ସେ ଓ ତାଙ୍କ ମା କ୍ୱାରାଣ୍ଟେଇନରେ ରହିବାକୁ ପଡିଲା। ଏତିକି ବେଳେ ସେ ପାଠକୁ ଚିନ୍ତା କରିବା ସହ କ୍ୱାରାଣ୍ଟେଇନ ହୋମକୁ ଆସୁଥିବା ତହସିଲଦାର ଓ ଅନ୍ୟ ଅଧିକାରୀଙ୍କୁ କହିଥିଲା। ଏହା ଜାଣି ତାଙ୍କ ପାଠ ପଢ଼ାଇବାକୁ ଆଗକୁ ଆସିଥିଲେ ଶିକ୍ଷକ ସୁଦୀପ୍ତ ପଟନାୟକ। ଆଜିକୁ ୧୮ ଦିନ ହେଲା ସେ ରୀତିମତ ଛାତ୍ରୀଙ୍କୁ ପଢ଼ାଇବାକୁ ଯାଉଛନ୍ତି। ଛାତ୍ରୀ ଜଣକ ଦିନ ଓ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ପଢ଼ୁ ଥିବା ଜଣାପଡିଛି। ପ୍ରଶାସନର ସହଯୋଗ, ଛାତ୍ରୀଙ୍କ ଇଚ୍ଛା ଓ ଜଣେ ଶିକ୍ଷକ ଭାବେ ପଢ଼ାଇବା ପ୍ରତି ଦାୟୀତ୍ୱ ବୋଧତା ଲାଗି ସଂଗରୋଧ କେନ୍ଦ୍ରରେ ଶିକ୍ଷା ଜାରି ରହି ପାରିଛି।
