ନବନୀତା ବ୍ୟୁରୋ, କଳାହାଣ୍ଡି। ଅସହାୟ ଗାଈ ଚରାଳିଙ୍କୁ ସହାୟ ହେଲା ବନଫୁଲ’। ଅଭାବୀ ଅସହାୟ ଗାଈ ଚରାଳୀ ବିରାଟ ବାଗଙ୍କୁ ସହାୟତା ରାଶି ପ୍ରଦାନ ପରେ ସେ ପତ୍ନୀଙ୍କୁ ମେଡିକାଲରୁ ଘରକୁ ଆଣିବାରେ ସକ୍ଷମ ହୋଇଛନ୍ତି। ଏଥିପାଇଁ ଵନଫୁଲ ସହାୟତା ସମିତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
ମହାମାରୀ କରୋନାର ଭୟାବହତା ଭିତରେ ଜୀବନ ଯାପନ ଠପ୍ ହେଇ ଯାଇଛି। ଏପରିକି ବହୁ ଅସହାୟ ମଣିଷ ଦୁଃଖରେ କାଳାତିପାତ କରୁଛନ୍ତି। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ବିରାଟ ବାଗ। ଗାଈ ଚରାଇ ଜୀବିକା ନିର୍ବାହ କରନ୍ତି ସେ। ଭାଗ୍ୟର ବିଡମ୍ବନା ବିରାଟ ବାଗ ଏପ୍ରିଲ ୮ ତାରିଖରେ ପତ୍ନୀଙ୍କ ଅପରେସନ ପାଇଁ ସରକାରୀ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ସରକାରୀ ହସ୍ପିଟାଲକୁ ଆଣିଥିଲେ । ଅପରେସନ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ପାଖରେ ଟଂକା ନଥିବାରୁ ସେ ଘରକୁ ଫେରି ପାରୁ ନଥିଲେ ।
ଏନେଇ ସୋସିଆଲ ମିଡିଆରୁ ଖବର ପାଇ ବନଫୁଲ ସହଯୋଗ ସମିତିର କାର୍ଯ୍ୟକର୍ତ୍ତା ତୁରନ୍ତ ତାଙ୍କ ପାଖରେ ଅର୍ଥ ପହଞ୍ଚେଇବାର ବ୍ୟବସ୍ଥା କରିଥିଲେ । ବନଫୁଲ ସହଯୋଗ ସମିତି ପକ୍ଷରୁ ସ୍ଥାନୀୟ ବାସିନ୍ଦା ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କବି ଜୟଦ୍ରଥ ସୁନାଙ୍କ ମାର୍ଫତରେ ଏକ ହଜାର ଟଂକା ସହାୟତା ରାଶି ପ୍ରଦାନ କରାଯାଇଥିଲା । ସହଯୋଗ ରାଶି ପାଇବା ପରେ ସେ ସେଠାରୁ ଘରକୁ ଯିବାକୁ ସମର୍ଥ ହୋଇଥିଲେ । ବନଫୁଲ ସହଯୋଗ ସମିତିର ଏ କାର୍ଯ୍ୟକୁ ସ୍ଥାନୀୟ ଲୋକ ପ୍ରଶଂସା କରିବା ସହ ଆଗକୁ ଏଭଳି ମହତ୍ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି ।
