କରୋନା ଯୋଗୁଁ ମହିଳା ଓ ପୁରୁଷ ପଦାକୁ ବାହାରିବା ପାଇଁ ଅଲଗା ଅଲଗା ଦିନ ନିଷ୍ପତ୍ତି, ପଢନ୍ତୁ ଏହି ଖବର

ଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ମହାମାରୀ କରୋନା ଯୋଗୁଁ ସାରା ବିଶ୍ଵର ଲୋକେ ଘରେ ରହିବାକୁ ମଜବୁର ଥିବା ବେଳେ ସରକାର ପକ୍ଷରୁ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପଟେ କିଛି ଦେଶରେ ଏହାକୁ ନେଇ ନୂଆ ଓ ଟିକେ ପୃଥକ୍ କରିବାକୁ ଉଦ୍ୟମ କରୁଛନ୍ତି। ପେରୁ ଓ ପାନାମା ଦେଶ ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳିବା ମୁସ୍କିଲ। ଏଠାରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୋଷଣା କରାଯାଇଛି। କିନ୍ତୁ ଏ ସମୟରେ ଆବଶ୍ୟକ ସାମଗ୍ରୀ ଆଣିବାକୁ ଘରୁ ବାହାରକୁ ଯିବାକୁ କୋହଳ କରାଯାଇଛି। ତେବେ ଏ କୋହଳ ନୀତି ସରକାର ଯାହା ଆପଣାଇଛନ୍ତି ତାହା ସଂପୂର୍ଣ୍ଣ ଅଲଗା।
ପେରୁ ଓ ପାନାମା ସରକାର ଜେଣ୍ଡର ହିସାବରେ ଲକ୍ ଡାଉନ୍ ବେଳେ ଆବଶ୍ୟକ ସାମଗ୍ରୀ ଆଣିବାକୁ ଘରୁ ବାହାରକୁ ଆସିବା ପାଇଁ କୋହଳ କରିଛନ୍ତି। ଅଲଗା ଅଲଗା ଦିନରେ ମହିଳା ଓ ପୁରୁଷ ନିଜ ନିଜ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଯାଇ ପାରିବେ। ପେରୁରେ ସୋମବାର, ବୁଧବାର ଓ ଶୁକ୍ରବାର ଦିନରେ କେବଳ ପୁରୁଷ ଲୋକ ଘରୁ ବାହାରି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଯାଇ ପାରିବେ। ସେହିପରି ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନରେ ମହିଳାମାନେ ଘରୁ ପଦାକୁ ବାହାରି ପାରିବେ। କିନ୍ତୁ ପାନମାରେ ଏହାର ଓଲଟା। ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନରେ କେବଳ ପୁରୁଷ ଲୋକେ ବାହାରକୁ ବାହାରି ପାରିବେ। ସେହିପରି ସୋମବାର, ବୁଧବାର ଓ ଶୁକ୍ରବାର ମହିଳାମାନେ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି। ରବିବାର ଦିନରେ ଉଭୟ ଦେଶରେ କେହି ବି ଘରୁ ପଦାକୁ ବାହାରି ପାରିବେ ନାହିଁ।
ସୂଚନା ଅନୁସାରେ ଆଜି ଯାଏ ପେରୁରେ କରୋନା ଭୂତାଣୁ ସଂକ୍ରମଣରେ ୯୭୮୪ ମାମଲା ସାମନାକୁ ଆସିଛି। ଏହା ବ୍ୟତୀତ ଏବେ ସୁଦ୍ଧା ୨୧୬ ରୋଗୀଙ୍କ ମୃତ୍ୟୁ ହୋଇଛି। କରୋନାରେ ୨୬୪୨ ସକ୍ରିୟ ଥିବା ବେଳେ ୬୯୨୬ ଲୋକ ଆରୋଗ୍ୟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ୮୭୧୧୬ ଜଣଙ୍କ ପରୀକ୍ଷା କରାଯାଇଛି।
ସେହିପରି ପାନାମାରେ ୩୪୭୨ କରୋନା ମାମଲା ସାମନାକୁ ଆସିଛି। ୯୪ ଜଣଙ୍କ ମୃତ୍ୟୁ ହୋଇ ସାରିଛି। କରୋନା ଏକଟିଭ୍ ସଂଖ୍ୟା ୬୧ ଥିବା ବେଳେ ୩୩୧୭ ଜଣ ଲୋକ ସୁସ୍ଥ ହୋଇଛନ୍ତି।