ଭୁବନେଶ୍ୱର: ଓଡ଼ିଶାରେ ପୁଣି ନବୀନ ସରକାର । ପୂର୍ଣ୍ଣ ବହୁମତ ପାଇ ସରକାର ଗଠନ କଲେ ନବୀନ । ଏହା ହେଉଛି ତାଙ୍କର ପଂଚମ ଇନିଂସ । ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରିମଣ୍ଡଳରେ ନବୀନଙ୍କ ସହ ୨୧ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ସେ ମଧ୍ୟରୁ ୧୧ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିବା ବେଳେ ଏବେ ବି ଗୋଟିଏ ମନ୍ତ୍ରୀ ପଦ ଖାଲି ପଡ଼ିଛି । ବୁଧବାର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ନବୀନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏସମୟରେ ନବୀନଙ୍କୁ ମହିଳାମାନେ ହୁଳହୁଳି ଦେଇ ଅଭିନନ୍ଦନ ଜଣାଇଥିଲେ । ଏଥିସହ ମଂଚ ତଳେ ବସିଥିବା ନବୀନଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ଅନ୍ୟ ଅତିଥିମାନେ ମଧ୍ୟ ତାଳି ମାରି ଶୁଭେଚ୍ଛା ଜଣାଇଥିଲେ । ପୂର୍ବଥର ଭଳି ଏଥର ମଧ୍ୟ ନବୀନ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ ରଖିଛନ୍ତି ।
ନବୀନଙ୍କ ପରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ପ୍ରଫୁଲ୍ଲ ମଲ୍ଲିକ । କାମାକ୍ଷାନଗରରୁ ବିଧାୟକ ନିର୍ବାଚିତ ହୋଇଥିବା ପ୍ରଫୁଲ୍ଲ ପୂର୍ବରୁ ନବୀନ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ କାର୍ଯ୍ୟ ତୁଳାଇ ସାରିଛନ୍ତି । ତାଙ୍କ ଉପରେ ପୁଣି ଭରସା, ବିଶ୍ୱାସ କରି ତାଙ୍କୁ କ୍ୟାବିନେଟ ପାହ୍ୟା ଉପହାର ଦେଇଛନ୍ତି ନବୀନ । ଏଥର ତାଙ୍କୁ ଖଣି,ଇସ୍ପାତ ଓ ପୂର୍ତ୍ତ ବିଭାଗ ସହ ଗୃହ ବିଭାଗର ପାହ୍ୟା ଦିଆଯାଇଛି । ପୂର୍ବରୁ ସଂସଦୀୟ ମନ୍ତ୍ରୀ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣି ଥରେ କ୍ୟାବିନେଟ୍ ପାହ୍ୟା ମିଳିଛି । ତାଙ୍କୁ ସଂସଦୀୟ ବ୍ୟାପାର ସହ ଜଂଗଲ ଓ ପରିବେଶ ବିଭାଗ ଦାୟିତ୍ୱ ଦିଆଯାଇଛି । ସେହିପରି ନିରଂଜନ ପୂଜାରୀଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ମିଳିଛି । ପୂର୍ବରୁ ନଗର ଉନ୍ନୟନ, ଜଳ ସଂପଦ, ଅବକାରୀ ଓ ଖାଦ୍ୟ ଯୋଗାଣ ଭଳି ମନ୍ତ୍ରୀ ପଦ ପାଇଥିଲେ ନିରଂଜନ । ଏଥର ନବୀନ ତାଙ୍କୁ ଅର୍ଥ ଓ ଅବକାରୀ ବିଭାଗ ଦାୟିତ୍ୱ ଦେଇଛନ୍ତି ।

ଟିଟିଲାଗଡରୁ ଦ୍ୱିତୀୟ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ଟୁକୁନି ସାହୁଙ୍କୁ ଏଥର ମିଳିଛି କ୍ୟାବିନେଟ ପାହ୍ୟା । ରାଜନୀତିରେ ତାଙ୍କର ସେତେଟା ଅଭିଜ୍ଞତା ନ ଥିଲେ ମଧ୍ୟ ନବୀନ ତାଙ୍କ ଉପରେ ଭରସା ରଖିଛନ୍ତି । ଟୁକୁନିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ବିଭାଗ ସେ କିଭଳି ଭାବରେ ସଫଳତାର ସହ ତୁଳାଉଛନ୍ତି ତାହା ଆଗାମୀ ଦିନରେ ଜଣା ପଡ଼ିବ । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ଦାୟିତ୍ୱ ଦିଆଯାଇଛି । ଅରୁଣ କୁମାର ସାହୁ ପୂର୍ବ ଥର ଅଧାରୁ ମନ୍ତ୍ରୀ ପଦରୁ ବିଦା ହୋଇଥିବା ଅରୁଣ ସାହୁଙ୍କୁ କୃଷି, ମତ୍ସ୍ୟ ଓ ପଶୁ ସଂପଦ, ଉଚ୍ଚଶିକ୍ଷା ବିଭାଗ ଦିଆଯାଇଛି । ସୁଶାନ୍ତ ସିଂ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମିଳିଥିବା ବେଳେ ନବ ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦିଆଯାଇଛି । ପ୍ରତାପ ଜେନାଙ୍କୁ ପଂଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବା ବେଳେ ସୁଶାନ୍ତ ସିଂଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମିଳିଛି । ପୂର୍ବରୁ ସୁଶାନ୍ତ ଶକ୍ତି ଓ ଶ୍ରମ ବିଭାଗର କାର୍ଯ୍ୟ ସଫଳତାର ସହ ତୁଳାଇଥିଲେ । ତେଣୁ ଚଳିତ ଥର ମଧ୍ୟ ନବୀନ ତାଙ୍କ ଉପରେ ପୁଣି ଥର ଭରସା କରି ଶ୍ରମ ବିଭାଗ ଦେଇଛନ୍ତି ।
ପୂର୍ବ ମନ୍ତ୍ରିମଣ୍ଡଳରେ ବାଦ ପଡିଥିବା ପଦ୍ମନାଭ ବେହେରାଙ୍କୁ ଏଥର କ୍ୟାବିନେଟରେ ସାମିଲ କରାଯାଇଛି ତାଙ୍କୁ ବାଣିଜ୍ୟ, ପରିବହନ , ଯୋଜନା ଓ ସମନ୍ୱୟ ମନ୍ତ୍ରୀ କରାଯାଇଛି । ସୁଦାମ ମାରାଣ୍ଡିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମିଳିିଛି । ରଘୁନନ୍ଦନ ଦାସଙ୍କୁ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ବିଭାଗ ମିଳିଛି । ସେହିପରି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କରାଯାଇଥିବା ବେଳେ ଜଗନ୍ନାଥ ସାରକାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ପ୍ରଥମ ଥର କରି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଦିବ୍ୟ ଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଓ ଏମଏସଏମଇ ବିଭାଗ ମିଳିଛି । ଅଶୋକ ପଣ୍ଡାଙ୍କୁ ବିଜ୍ଞାନ, ପ୍ରଯୁକ୍ତି ଓ ଭିନ୍ନକ୍ଷମ ବିଭାଗ ଦିଆଯାଇଥିବା ବେଳେ ସମୀର ଦାଶଙ୍କୁ ମିଳିଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଦାୟିତ୍ୱ । ପଦ୍ମିନୀ ଦିଆନଙ୍କୁ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ କରାଯାଇଛି । ସେହିପରି ପ୍ରେମାନନ୍ଦ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ମନ୍ତ୍ରୀ ମିଳିଥିବା ବେଳେ ତୁଷାରକାନ୍ତି ବେହେରାଙ୍କୁ ଆଇଟି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ପଂଚମ ପାଳିରେ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର ୬ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ସେ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ଜଣକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଦିବ୍ୟ ଶଙ୍କର ମିଶ୍ର ଓ କଂଗ୍ରେସ ଛାଡ଼ି ବିଜେଡିରେ ମିଶି ବିଧାୟକ ହୋଇଥିବା ନବ ଦାଶଙ୍କୁ ପ୍ରଥମ ଥର ଲାଗି ମନ୍ତ୍ରୀ ପଦ ମିଳିଛି ।

ତେବେ ଏଥର ମନ୍ତ୍ରୀ ପରିଷଦରେ ଗତ ଥରର ୮ ଜଣ ମନ୍ତ୍ରୀ ବାଦ ପଡିଛନ୍ତି । ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ଚନ୍ଦ୍ର ସାରଥୀ ବେହେରା, ନୃସିଂହ ଚରଣ ସାହୁ ଓ ଅନନ୍ତ ଦାସ ବାଦ ପଡିଛନ୍ତି । ଏଥିସହ ଅନେକ ପୁରୁଖା ନେତାମାନେ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଛନ୍ତି । ରାଜ୍ୟସଭା ଛାଡ଼ି ଆଳି ଆସନରୁ ବିଧାୟକ ହୋଇଥିବା ପ୍ରତାପ ଦେବ, ସୌମ୍ୟ ରଂଜନ ପଟ୍ଟନାୟକ ଖଣ୍ଡପଡାରୁ ୮୧ ହଜାରରୁ ଅଧିକ ଭୋଟରେ ଜିତିଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇନି । ସେପଟେ ପଶ୍ଚିମ ଓଡ଼ିଶାର ରୋହିତ ପୂଜାରୀ, ସୁବ୍ରତ ତରାଇ, ସାରଦା ନାୟକ, କିଶୋର ମହାନ୍ତି, ଭପିନ୍ଦର ସିଂଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିନି । ତେବେ ଗତ ଥର ପ୍ରଥମେ ଅର୍ଥ ମନ୍ତ୍ରୀ ଓ ପରେ ବାଚସ୍ପତି ଥିବା ପ୍ରଦୀପ ଅମାତଙ୍କୁ ମନ୍ତ୍ରୀ ପରିଷଦରୁ ବାଦ୍ ଦିଆଯାଇଛି ।..
