କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କିଏ କେତେ ଦାନ କଲେ, ଜାଣନ୍ତୁ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ମହାମାରୀ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବା ସହ ବିଧାୟକ ପାଣ୍ଠି ଟଙ୍କା ମଧ୍ୟ ଦାନ କରାଯାଏ। ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁସରଣ କରି ବିଧାୟକ, ସାଂସଦ ଓ ବିଭିନ୍ନ ସଂସ୍ଥା ଟଙ୍କା ଦାନ କରିବାରେ ଲାଗିଛନ୍ତି।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଧାୟକ ପାଣ୍ଠିର ୩ କୋଟି ଟଙ୍କା କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହା ପୂର୍ବରୁ ସେ ନିଜ ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିସାରିଛନ୍ତି।

ସେହିପରି କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସାଂସଦ ପାଣ୍ଠିର ୧ କୋଟି ଟଙ୍କା ନିଜ ଆଦର୍ଶ ଜିଲ୍ଲା ମୟୂରଭଞ୍ଜରେ ବିନିଯୋଗ କରିବାକୁ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜଙ୍କୁ ଚିଠି ଲେଖି ଜଣାଇଛନ୍ତି ସାଂସଦ ସସ୍ମିତ ପାତ୍ର।


କେବଳ ବିଜେଡ଼ି ସାଂସଦ ନୁହେଁ, ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ କରୋନା ମୁକାବିଲା ଲାଗି ସହାୟତାର ହାତ ବଢାଇଛନ୍ତି। କରୋନା ମୁକାବିଲା ପାଇଁ ଆବଶ୍ୟକ ମେଡିକାଲ୍ ସାମଗ୍ରୀ କିଣିବାକୁ ତାଙ୍କ ସାଂସଦ ପାଣ୍ଠି ଟଙ୍କା ଖର୍ଚ୍ଚ କରିବାକୁ ବରଗଡ଼ ଓ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ସାଂସଦ ସୁରେଶ ପୂଜାରୀ।
ଏହା ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଡୋନେସନ୍ ଦେଇଛନ୍ତି। ରାଜ୍ୟରେ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସେ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି।


କେବଳ ନେତା କି ମନ୍ତ୍ରୀ ନୁହେଁ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରାଯାଇଛି। ଏହି ଟଙ୍କା ମନି ଟ୍ରାନସଫର୍ ମାଧ୍ୟମରେ ପଠା ଯାଇଥିବା ନିଗମର ବିପଣନ ଅଧିକାରୀ ଆଲୋକ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଏଥିସହ ନିଗମର ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର କରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ସାମାଜିକ ଦୂରତାକୁ ଅବଲମ୍ବନ କରିବା ସହ ଘରେ ନିଜକୁ ଆବଦ୍ଧ କରି ପରିବାର ଓ ଆତ୍ମୀୟସ୍ୱଜନଙ୍କୁ ମହାମାରୀ କରୋନା ଦାଉରୁ ସୁରକ୍ଷିତ ରଖନ୍ତୁ। ତାସହ ମୁଖ୍ୟମନ୍ତ୍ରୀଙ୍କ ମୋ ଜୀବନ କାର୍ଯ୍ୟକ୍ରମକୁ ପାଳନ କରିବା ପାଇଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି।


ଏହାବ୍ୟତୀତ ଅନେକ ଶିଳ୍ପ ସଂସ୍ଥା ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବାରେ କହିଛନ୍ତି। ଓଏମସି ୫୦୦ କୋଟି ଦାନ କରିଥିବା ବେଳେ ଇଫକୋ ମେଡିକାଲ୍ ସାମଗ୍ରୀ କିଣାକିଣି କରିବାକୁ ସହାୟତାର ହାତ ବଢ଼ାଇଥିବା ଜଣା ପଡିଛି।