ନବନୀତା ବ୍ୟୁରୋ। ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଅଜାଡ଼ି ଦେଲେ ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଯାଇ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ୪୯୪.୪୩ କୋଟି ଟଙ୍କାର ୪୧ଟି ପ୍ରକଳ୍ପ ଉଦ୍ଘାଟନ କରିଥିବା ବେଳେ ୧୦୩୨ କୋଟି ଟଙ୍କାର ୧୦୨ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ମଧ୍ୟରେ ୫୧ଟି ଶିକ୍ଷା ଇନଫ୍ରା ପ୍ରକଳ୍ପ, ୧୨ ରାସ୍ତା ଉନ୍ନତିକରଣ ଓ ୮୩ଟି ଲିଫ୍ଟ ଇରିଗେସନ୍ ପ୍ରକଳ୍ପ ରହିଛି।
ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଷ୍ଟମ ଥର ବିଜେଡି ସଭାପତି ଦାୟିତ୍ବ ନେବା ପରେ ନବୀନ ପଟ୍ଟନାୟକ ପ୍ରଥମ କରି ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ଏ ଅବସରରେ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ ନବୀନ ପଟ୍ଟନାୟକ।
ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁନ୍ଦରଗଡ଼ର ବିକାଶ ପାଇଁ ୧୫ ଶହ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିସହ ଜିଲ୍ଲାବାସୀଙ୍କ ବହୁ ପ୍ରତିକ୍ଷୀତ ମେଡ଼ିକାଲ କଲେଜ ସ୍ବପ୍ନ ଖୁବ୍ଶୀଘ୍ର ସାକାର ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ, ହକି, ଫୁଟବଲ୍, ତୀରଚାଳନାରେ ଏଠାକାର ଖେଳାଳିମାନେ ଦେଶବିଦେଶରେ ସୁନାମ ଅର୍ଜନ କରିଛନ୍ତି। ତେଣୁ ୨୦୨୩ ମସିହାରେ ରାଉରକେଲାଠାରେ ହକି ବିଶ୍ବକପ୍ ଅନୁଷ୍ଠିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
କାର୍ଯ୍ୟକ୍ରମରେ ବିିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ବିଧାୟକ ସାରଦା ନାୟକ, ସୁବ୍ରତ ତରାଇ ଓ ଦିଲୀପ ତିର୍କୀ, ପଦ୍ମିନୀ ଶେଖର ଦେଓ ଏବଂ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ସହ ହଜାର ହଜାର ବିଜେଡ଼ି କର୍ମୀ ଓ ନେତା ଉପସ୍ଥିତ ଥିଲେ।
