ନବନୀତା ବ୍ୟୁରୋ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଗରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ଘଟଣା ଘଟିଛି। ଦିଲ୍ଲୀରୁ ବିହାର ଯାଉଥିବା ସ୍ଲିପର ବସ୍ ଟ୍ରକ୍ ପଛପଟେ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୈଫଇ ପିଜିଆଇ ମେଡିକାଲରେ ଭର୍ତ୍ତି କରାଯାଇଛି। ବସରେ ୯୦ ଜଣ ଯାତ୍ରୀ ଥିଲେ।
ଘରୋଇ ବସ୍ ହାଇୱେ ଭଦାୱ ଗାଁ ନିକଟରେ ପହଁଚିବା ପରେ ଭାରସାମ୍ୟ ହରାଇ ଟ୍ରକର ପଛ ପଟେ ଧକ୍କା ଦେଇଥିଲା। ଲୋକଙ୍କ ସ୍ୱର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା। ତାସହ ଏଡିଜି ଅଜୟ ଆନନ୍ଦ ଓ ଆଇଜି ସତୀଶ ଗଣେଶ ମଧ୍ୟ ପହଞ୍ଚିଥିଲେ। ଆହତଙ୍କୁ ଆମ୍ବୁଲାନ୍ସରେ ପିଜିଆଇ ସୈଫଇକୁ ପଠାଇଥିଲେ। ତେବେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ମୃତ୍ୟୁ ମେଡିକାଲରେ ହୋଇଥିବା ଜଣାପଡିଛି।
ଦୁର୍ଘଟଣା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଡିଜି ଓ ଆଇଜି ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
