ନବନୀତା ବ୍ୟୁରୋ। ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଛି। ଆପ ଏକତରଫା ବିଜୟ ସହ ହ୍ୟାଟ୍ରିକ ହାସଲ କରିଛି। ହେଲେ ଗତ ନିର୍ବାଚନ ଅପେକ୍ଷା ଆପକୁ ୫ଟି ସିଟ୍ କମ୍ ମିଳିଛି। ଏଥର ଆପ ୬୨ ସିଟ୍ ପାଇଥିବା ବେଳେ ବିଜେପି ୮ଟି ସିଟରେ ସନ୍ତୁଷ୍ଟ ହେବା ସହ ଦୀର୍ଘ ୨୫ ବର୍ଷର ଦିଲ୍ଲୀ ସିଂହାସନ ସ୍ବପ୍ନ ଧୂଳିସାତ ହୋଇଯାଇଛି।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ସବୁ ପ୍ରକାର ବଳ ପ୍ରୟୋଗ କରିଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ମାନେ ମଧ୍ୟ ସାମିଲ୍ ହୋଇଥିଲେ। ହେଲେ ଝାଡୁଦାର ଆଗରେ ଚୌକିଦାର ହାର ସ୍ବୀକାର କରିଛି। କେଜରିୱାଲଙ୍କ ରଣନୀତିରେ ଚିତ୍ ମାରିଲା ମୋଦୀ ଏଣ୍ଡ କେ଼ା।

ଅନ୍ୟପକ୍ଷରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ ଓଡ଼ିଶାର ଅନେକ ନେତା ରାଜଧାନୀରେ ଡେରା ପକାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ କେ ଭି ସିଂଦେଓଙ୍କ ସହ ଓଡ଼ିଶାର ଅନେକ ନେତା ପ୍ରଚାର କାର୍ଯ୍ୟରେ ଲାଗିଥିଲେ। ପ୍ରବାସୀଙ୍କୁ ଭେଟି ବିଜେପିକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ। କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ସାମ୍ନାକୁ ଆଣି ନଥିବାରୁ ମତଦାନ ସପକ୍ଷରେ ଯାଇନଥିବା କୁହାଯାଉଛି।

ପ୍ରତ୍ୟାଖିତ ନେତାଙ୍କୁ ପ୍ରତ୍ୟାଖ୍ୟାନ!
ଗତ ନିର୍ବାଚନରେ ଓଡ଼ିଶା ଭୋଟର ପ୍ରତ୍ୟାଖିତ କରିଥିବା ଅନେକ ନେତା ଦିଲ୍ଲୀରେ ପ୍ରଚାର କରିଥିଲେ। ସେ ମଧ୍ୟରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର ଅନ୍ୟତମ। ଉଭୟେ ଲୋକସଭା ଆସନରେ ନିର୍ବାଚନ ଲଢି ପରାଜୟବରଣ କରିଥିଲେ। ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରେ ଲଢି ସିନେ ଷ୍ଟାର ଅନୁଭବ ମହାନ୍ତିଙ୍କଠାରୁ ଦେଢ଼ ଲକ୍ଷ ଭୋଟ ବ୍ୟବଧାନରେ ହାରି ଥିଲେ। ଏପରିକି କେବେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ନଥିବା ଅନୁଭବ ମହାନ୍ତିଙ୍କ ଠାରୁ ଶୋଚନୀୟ ଭାବେ ହାରିଥିଲେ ବୈଜୟନ୍ତ ପଣ୍ଡା। ଏଥିରୁ ପ୍ରମାଣିତ ହୋଇ ଯାଇଥିଲା ଯେ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କ ନିଜସ୍ଵ ଭୋଟ ବ୍ୟାଙ୍କ ନାହିଁ। କାରଣ ପୂର୍ବରୁ ବିଜେଡ଼ି ଟିକେଟରେ ଦୁଇ ଥର ସାଂସଦ ହୋଇଥିଲେ। ହେଲେ ବିଜେଡ଼ିରୁ ବାହାର କରିବା ପରେ ବିଜେପିରେ ମିଶି ନିର୍ବାଚନ ଲଢ଼ି ଥିଲେ ବି ପରାଜୟର ସ୍ବାଦ ଚାଖି ଥିଲେ ବୈଜୟନ୍ତ। ସେହିପରି ସମ୍ବିତ ପାତ୍ର ପୁରୀ ଲୋକସଭା ନିର୍ବାଚନରେ ଲଢି ପିନାକୀ ମିଶ୍ରଙ୍କ ଠାରୁ ପ୍ରାୟ ୫ ହଜାର ଭୋଟରେ ହାରିଥିଲେ।
ତେବେ ନିଜ ଅଞ୍ଚଳରେ ପ୍ରାତ୍ୟାଖିତ ହୋଇଥିବା ଉଭୟ ନେତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଚାର କାର୍ଯ୍ୟ ଚଳାଇଥିଲେ। ଆଶା କରାଯାଉଥିଲା ପ୍ରବାସୀ ଓଡ଼ିଆଙ୍କୁ ନିଜ ସପକ୍ଷରେ ଆକର୍ଷିତ କରି ପାରିବେ। କିନ୍ତୁ ତାହା ହେଲା ନାହିଁ। ବିଜେପି ମାତ୍ର ୮ଟି ସିଟରେ ସୀମିତ ରହିଗଲା। ଗତ ପାଞ୍ଚ ବର୍ଷ ମଧ୍ୟରେ କେବଳ ୫ଟି ସିଟ୍ ବୃଦ୍ଧି ହେଲା। ଯେଉଁଠି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଚାର ଫେଲ ମାରିଲା ସେଠି ପ୍ରତ୍ୟାଖିତ ନେତାଙ୍କ ପ୍ରଚାରକୁ କିଏ ଅବା ପଚାରେ। ଏଥିରୁ ସ୍ପଷ୍ଟ ଯେ, ନିର୍ବାଚନରେ ପ୍ରତ୍ୟାଖିତ ନେତାଙ୍କୁ ଲୋକେ ସେତିକି ଗ୍ରହଣ କରନ୍ତି ନାହିଁ।
