କଳିଙ୍ଗ ନାଟ୍ୟ ମହୋତ୍ସବରେ ସାମ୍ବାଦିକ ସଂଜୟ ଜେନା ସମ୍ବର୍ଦ୍ଧିତ

ଓଡ଼ିଶାବଡ଼ ଖବରସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ୨୨ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଛି। ସାହିତ୍ୟିକ ଗୌରହରି ଦାସଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ବରିଷ୍ଠ ବିଜେପି ନେତା ମନମୋହନ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଓ ନାଟ୍ୟକାର ଧୀର ମଲ୍ଲିକ ଯୋଗ ଦେଇଥିଲେ। ତେବେ ନାଟକକୁ କେବଳ ରାଜଧାନୀରେ ସୀମିତ ନ ରଖି ରାଜ୍ୟ ବ୍ୟାପୀ ଆୟୋଜନ କରିବାକୁ ଅତିଥି ମାନେ ମତ ଦେଇଥିଲେ।

ଶତାବ୍ଦୀର କଳାକାର ପକ୍ଷରୁ ଆୟୋଜିତ କଳିଙ୍ଗ ନାଟ୍ୟ ମହୋତ୍ସବ ଏଥର ୨୨ ବର୍ଷରେ ପଦାର୍ପଣ କରିଛି। ୪୪ ବର୍ଷର ପୁରୁଣା ନାଟ୍ୟ ସଂସ୍ଥା ଶତାବ୍ଦୀର କଳାକାର ଆଗକୁ ବଢ଼ିବାରେ ଲାଗିଛି। ନାଟ୍ୟକାର ଧୀର ମଲ୍ଲିକ, ସାହିତ୍ୟିକ ଗୌରହରି ଦାସଙ୍କ ଆପ୍ରାଣ ଉଦ୍ୟମରେ ସଂସ୍ଥା ଆଜି ଏହି ସ୍ତରକୁ ଆସିଛି। ଆସନ୍ତା ୬ ବର୍ଷ ପରେ ଶତାବ୍ଦୀର କଳାକାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ।

ତେବେ ପ୍ରତିବର୍ଷ ନାଟ୍ୟ ଉତ୍ସବରେ କଳା, ସଂସ୍କୃତି ସମ୍ପନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ସୁମିତ୍ରା ସମ୍ମାନ ଅଭିନେତ୍ରୀ ଆରତୀ ପାତ୍ରଙ୍କୁ ପ୍ରଦାନ କରାଯାଇଛି। ତାଙ୍କୁ ମାନପତ୍ର, ଉପଢୌକନ ସହ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସେହିପରି କଳା, ସଂସ୍କୃତି ଓ ନାଟକର ବହୁଳ ପ୍ରଚାର ପ୍ରସାର ପାଇଁ ବୈଦ୍ୟୁତିକ ଗଣମାଧ୍ୟମର ଖ୍ୟାତନାମା ସାମ୍ବାଦିକ ସଂଜୟ କୁମାର ଜେନାଙ୍କୁ ଶତାବ୍ଦୀର କଳାକାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ସଭା ଶେଷ ପରେ ଆରମ୍ଭ ହୋଇଥିଲା ନାଟକ। ଦଶାବତାର ନାଟକକୁ ନିଖୁଣ ଭାବରେ ପରିବେଷଣ କରିଥିଲେ ଶତାବ୍ଦୀର କଳାକାରମାନେ। ନାଟ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିବା ଭଗବାନଙ୍କ ଦଶଟି ଅବତାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପାଖାପାଖି ଦୁଇ ଘଣ୍ଟା ଯାଏ ଚାଲିଥିବା ଏହି ନାଟକକୁ ବେଶ ଉପଭୋଗ କରିଥିଲେ ନାଟ୍ୟପ୍ରେମୀ। ତେବେ ଉତ୍ସବର ଦ୍ବିତୀୟ ଦିନରେ କୋଲକତାର କଳାକାରମାନେ ନାଟ୍ୟ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି।