ବଲାଙ୍ଗିରରେ ଏମିତି ଚାଲିଛି ୫ଟି: ଜାଣନ୍ତୁ ଜଣେ ଫରେଷ୍ଟରଙ୍କ କରୁଣ କାହାଣୀ

ଅପରାଧଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ବଲାଙ୍ଗିର ଡିଫଓ ଅଫିସରେ ଫରେଷ୍ଟରଙ୍କୁ ରେଞ୍ଜର ଅପହରଣ କରି ନିସ୍ତୁକ ମାଡ଼ ମାରିବା ଅଭିଯୋଗ ଘଟଣାକୁ ତିନି ମାସ ବିତିଲାଣି। ହେଲେ ଅଭିଯୋଗକାରୀ ଫରେଷ୍ଟରଙ୍କୁ ଏଯାଏ ନ୍ୟାୟ ନ ମିଳିବା ସହ ଥାନାକୁ ଦୋୖଡି ଦୋୖଡି ନୟାନ୍ତ ହୋଇ ଗଲେଣି ଫରେଷ୍ଟର ଗଣେଶ୍ଵର ଜେନା। ଅନ୍ୟପଟେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଅଭିଯୁକ୍ତ ରେଞ୍ଜର ରାଜ କିଶୋର ନାଏକଙ୍କୁ ଫେରାର ଥିବା ଦେଖାଇବାରୁ ସେ ବେଲ୍ ପାଇବାରେ ସମର୍ଥ ହେଲେ। ତେବେ କଣ ପାଇଁ ପୋଲିସ ଭୟଭୀତ? ରାଜ କିଶୋର ନାଏକଙ୍କ ପଛରେ ଏକ ଅଦୃଶ୍ୟ ହାତ ଥିବା ଚର୍ଚ୍ଚା ହେଉଛି। ଯେଉଁଥି ପାଇଁ ପୋଲିସ ଅଭିଯୁକ୍ତ ରାଜ୍ କିଶୋରଙ୍କ ଉପରେ ହାତ ମାରିବା ତ ଦୂରର କଥା ତା ଉପରେ କାର୍ଯ୍ୟାନଷ୍ଠାନ ପାଇଁ ବି ଭୟ କରୁଛି।

ଅଭିଯୁକ୍ତ ରାଜକିଶୋର ନାଏକ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତାଙ୍କ ଜ୍ବାଇଁ ପୁଅ। ଶାସକ ଦଳର ନେତାଙ୍କ ସମ୍ପର୍କୀୟ ହୋଇଥିବାରୁ ଟାଉନ୍ ଥାନା ପୋଲିସ ଲାଙ୍ଗୁଡ ଜାକି ବସିଛି। କେବଳ ଏତିକି ନୁହେଁ ଅନ୍ୟ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ମଧ୍ୟ ପୋଲିସ ଉପରେ ଚାପ ପକାଉଥିବା ଜୋରସୋର୍ ଚର୍ଚ୍ଚା ହେଉଛି। ଯେଉଁଥି ପାଇଁ ପୋଲିସ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୟଭୀତ ହୋଇ ପଡ଼ିଛି।

କେବେ ଓ କେମିତି ଘଟିଥିଲା ଘଟଣା

ସେଦିନ ଥିଲା ସେପ୍ଟେମ୍ବର ୨୭ ତାରିଖ। ବଲାଙ୍ଗିର ଡିଫଓ ଅଫିସରୁ ସରକାରୀ ଗାଡି ନେଇ ଷ୍ଟାଫ୍ ସହ ମୋବାଇଲ୍ ପାର୍ଟିରେ ଦେଓଗାଁ ଯାଇ ଦିନ ୨.୩୦ରେ ପୁଣି ହେଡ୍ କ୍ୱାର୍ଟରକୁ ଫେରିଥିଲେ ଫରେଷ୍ଟର ଗଣେଶ୍ଵର ଜେନା। ଏ ସମୟରେ ଅଫିସରେ କେହି ନଥିଲେ। ସେତିକି ବେଳେ ଲୋଇସିଂହା ରେଞ୍ଜର ରାଜ କିଶୋର ନାଏକ, ଡ୍ରାଇଭର ଛୋଟୁଙ୍କ ସହ ୪ ଜଣ ଆସି ଫରେଷ୍ଟରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ମାଡ ମାରି ସେଠାରୁ ଏକ ଚାରି ଚକିଆ ଗାଡ଼ିରେ ଜୋର୍ ଜବରଦସ୍ତ ବସାଇ ଲୋଇସିଂହା ପୁରୁଣା ରେଞ୍ଜ ଅଫିସକୁ ନେଇଥିଲେ। ସେଠାରେ ମଧ୍ୟ ଫରେଷ୍ଟରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ୍ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଏକ ଲିଖିତ କାଗଜରେ ଦସ୍ତକତ୍ ନ କରିବାରୁ ତାଙ୍କୁ ଧମକ ଚମକ ଦେଇଥିଲେ। ଏତିକିରେ ମନ ବୁଝି ନଥିଲା। ପରେ ୧୦ ଲକ୍ଷ ଟଙ୍କା ଆଣିବାକୁ ତୋ ସ୍ତ୍ରୀକୁ ଫୋନ୍ କର ବୋଲି ଫରେଷ୍ଟରଙ୍କୁ କହିଥିଲେ ଅଭିଯୁକ୍ତ ରାଜ କିଶୋର ନାଏକ। ତାଙ୍କ ସ୍ତ୍ରୀ ଘଟଣା ସ୍ଥଳକୁ ପହଞ୍ଚିବା ପରେ ତାଙ୍କ ଇଜ୍ଜତ ନେବା ପାଇଁ ଟଣା ଓଟରା କରିଥିଲେ। ଏନେଇ ସେ ଲିଖିତ ଭାବେ ବଲାଙ୍ଗିର ଆଦର୍ଶ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ ଗଣେଶ୍ଵର ଜେନା। ହେଲେ ଏଯାଏ ସେ ନ୍ୟାୟ ପାଇଁ ଥାନାକୁ ଦୋୖଡି ଦୋୖଡି ନୟାନ୍ତ ହୋଇଗଲେଣି। ଏପରିକି ଡିଫଓ ଅଫିସରେ ଘଟିଥିବା ଘଟଣାର ସିସି ଟିଭି ଫୁଟେଜ ପୋଲିସ ପାଖରେ ଥିଲେ ବି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନାହାଁନ୍ତି।

ଅଭିଯୁକ୍ତ ରାଜ କିଶୋରଙ୍କୁ ବେଲ୍

ଆହତ କାରଣରୁ ଘଟଣା ଘଟିବା ଦିନ ଥାନାରେ ଅଭିଯୋଗ କରି ପାରିନଥିଲେ ଫରେଷ୍ଟର ଗଣେଶ୍ଵର ଜେନା। ରେଞ୍ଜରଙ୍କ ମାଡ଼ରେ ଏତେ ଆହତ ହୋଇଥିଲେ ଯେ, ସେ ଦିନ ଥାନାକୁ ଆସିବା ପାଇଁ ସମ୍ଭବ ହୋଇ ନ ଥିଲା। ତେଣୁ ଅକ୍ଟୋବର ୧ ତାରିଖରେ ଆଦର୍ଶ ଟାଉନ୍ ଥାନାକୁ ଆସି ଏଫଆଇଆର୍ ଦେଇ ଥିଲେ ଗଣେଶ୍ଵର ଜେନା। ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ହାତ ବାନ୍ଧି ଚୁପ୍ ରହିଥିଲା। ଏପରିକି ନେତା, ମନ୍ତ୍ରୀଙ୍କ ଚାପରେ ପଡି ପୋଲିସ ଅଭିଯୁକ୍ତଙ୍କୁ ଫେରାର କରାଇବାରେ ସହାୟତା କରି ଦିନ ଗଡିଲା। ଯେଉଁଥି ପାଇଁ ଅଭିଯୁକ୍ତ ରାଜ୍ କିଶୋର ନାଏକ ସହଜରେ ବେଲ୍ ପାଇ ଗଲେ। ଘଟଣା ନେଇ ଏସଡିପିଓ ଶ୍ରୀମନ୍ତ ବାରିକଙ୍କୁ ପଚାରିବାରୁ ସେ ବ୍ୟସ୍ତତା ଥିବା କହି କୌଣସି ପ୍ରତିକ୍ରିୟା ଦେଇନଥିଲେ।

ସେପଟେ ରେଞ୍ଜର ରାଜ କିଶୋର ନାଏକଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ଫରେଷ୍ଟର ଗଣେଶ୍ଵର ଜେନାଙ୍କୁ ମାଡ ମରା ନେଇ ପଚାରିବାରୁ ସେ ପ୍ରତିକିୟା ନ ଦେଇ ଫୋନ୍ କାଟି ଦେଇଥିଲେ।

ଅନ୍ୟପଟେ ଡିଏଫଓ ଅଫିସରେ ଘଟଣା ଘଟି ଥିଲେ ବି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି। ତେବେ ଘଟଣା ନେଇ ଫରେଷ୍ଟର ଗଣେଶ୍ଵର ଜେନା ଥାନାରେ ଅଭିଯୋଗ କରିବା ସହ ତଦନ୍ତରେ ସହିଯୋଗ୍ ସହ ସିସି ଟିଭି ଫୁଟେଜ ପୋଲିସକୁ ଦେଇଥିବା କହିଛନ୍ତି ଡିଏଫଓ ସମୀର ଶତପଥୀ।

ବଲାଙ୍ଗିରରେ ଏମିତି ଚାଲିଛି ୫ଟି

ଥାନାରୁ ଯେମିତି କେହି ନ୍ୟାୟ ପାଇବାରୁ ବଞ୍ଚିତ ହେବେନି ସେଥି ପାଇଁ ସରକାର ଆରମ୍ଭ କରିଛନ୍ତି ମୋ ସରକାର। ୫ଟି ଲାଗୁ ନେଇ ଜାତିସଂଘ ପ୍ରତିନିଧି ନବୀନଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ହେଲେ ବାସ୍ତବରେ ଏହାର କେତେ ସୁଫଳ ପାଉଛନ୍ତି ଲୋକେ, ତାହା ବଲାଙ୍ଗିରରେ ଫରେଷ୍ଟରଙ୍କୁ ରେଞ୍ଜରଙ୍କ ଅପହରଣ ଓ ମାଡ଼ ଅଭିଯୋଗ ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ମାଡ ମରା ଘଟଣାକୁ ତିନି ମାସ ହୋଇଥିଲେ ବି ଅଭିଯୋଗକାରୀ ଗଣେଶ୍ଵର ଜେନା ନ୍ୟାୟ ପାଇଁ ଥାନାକୁ ବାରମ୍ବାର ଧାଉଁ ଛନ୍ତି। ହେଲେ ନ୍ୟାୟ ନ ପାଇ ଏବେ ନିରାଶ ହୋଇ ବସିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ, ଅଭିଯୁକ୍ତ ନେତାଙ୍କ ଜ୍ବାଇଁ ପୁଅ ବୋଲି ୫ଟି ନେଇ ପୋଲିସ ତାଙ୍କ ଉପରେ କୋହଳ ମନୋଭାବ ପ୍ରଦର୍ଶନ କରୁଛି କି? କଣ ବଡବଡିଆଙ୍କ କ୍ଷେତ୍ରରେ ୫ଟି ନିୟମ ଅଲଗା? ତେବେ ଦେଖାଯାଉ ଫରେଷ୍ଟରଙ୍କୁ ନ୍ୟାୟ ମିଳୁଛି ନା ଅଭିଯୁକ୍ତ ରେଞ୍ଜର ରାଜ କିଶୋର ନାଏକଙ୍କ ପଛରେ ଥିବା ଅଦୃଶ୍ୟ ହାତ ଦ୍ଵାରା ଘଟଣାଟି ଚାପି ହୋଇ ଯାଉଛି।