ନବନୀତା ବ୍ୟୁରୋ। ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଗୁରୁବାର ଅହମଦାବାଦ ବନ୍ଦ ପାଳନ ବେଳେ ଶାହାଆଲମରେ ଘଟିଥିବା ହିଂସା ମାମଲାରେ ୪୯ ଜଣ ଲୋକଙ୍କୁ ଗିରଫ କରାଯାଇଛି। ଗିରଫ ମଧ୍ୟରେ ବେହାରମପୁରା କଂଗ୍ରେସ କାଉନସିଲର ଶେହଜାଦ୍ ଖାନ୍ ପଠାଣ ଥିବା ଜଣାପଡିଛି। କଂଗ୍ରେସ ନେତା ଶେହଜାଦ୍ ଖାନ୍ ପଠାଣଙ୍କ ନେତୃତ୍ୱରେ ଶାହାଆଲମରେ ରାଲି ବାହାର କରାଯାଇଥିଲା। ହେଲେ ପୁଲିସକୁ ହତ୍ୟା ଉଦ୍ୟମ ସହ ବିଭିନ୍ନ ଧାରା ଆଧାରରେ ୫ ହଜାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଅହମଦାବାଦ ପୋଲିସ କମିଶନର ଆଶିଷ ଭାଟିଆଙ୍କ ସୂଚନା ଅନୁସାରେ ନାଗରିକତା ଆଇନ ବିରୋଧରେ ଶାହାଆଲମ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚାଲିଥିଲା। ପୁଲିସ୍ ବେହାରମପୁରା କଂଗ୍ରେସ କାଉନସିଲର ଶେହଜାଦ୍ ଖାନ୍ ପଠାଣ ସହ କିଛି ଲୋକଙ୍କୁ ଗିରଫ କରାଯାଇଥିଲା। ଏଥି ଯୋଗୁଁ ହିଂସା କାଣ୍ଡର ସୂତ୍ରପାତ ହୋଇଥିଲା। ଲୋକେ ପୁଲିସ୍ ଉପରକୁ ପଥର ଫିଙ୍ଗି ଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ପୋଲିସ ଲାଠଚାର୍ଜ କରିବା ସହ ଟିଅର୍ ଗ୍ୟାସ ପ୍ରୟୋଗ କରିଥିଲା। ହେଲେ ପୋଲିସ କର୍ମଚାରୀ ଅପେକ୍ଷା ଆନ୍ଦୋଳନକାରୀ ସଂଖ୍ୟା ଅଧିକ ଥିବାରୁ ପୋଲିସ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଲୋକେ ପୁଲିସ୍ ଗାଡି ଉପରକୁ ପଥର ଫିଙ୍ଗିବା ସହ ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଫଳରେ ହିଂସାରେ ୨୧ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ଆହତ ପୋଲିସ ମଧ୍ୟରେ ଜୋନ୍ ୬ ଡିସିପି, ଏସିପି ଆରବୀ ରାଣା, ଦୁଇ ପୁଲିସ୍ ନିରୀକ୍ଷକ, ୪ ପିଏସଆଇ, ୭ କନଷ୍ଟେବଳ ଓ ଲୋକରକ୍ଷକ୍ ଜବାନ ସାମିଲ୍।
ସୂଚନା ଅନୁସାରେ ଶାହାଆଲମ ଚଣ୍ଡୋଲା ତାଲାବ୍ ନିକଟରେ ଅଧିକାଂଶ ବାଂଲାଦେଶ ଅନୁପ୍ରବେଶକାରୀ ରହନ୍ତି। ତେଣୁ ଏଠାରେ ନାଗରିକତା ସଂଶୋଧନ ଆଇନକୁ ଜୋରସୋର୍ ବିରୋଧ କରାଯାଉଛି।
