ଲୋକସଭା ସଦସ୍ୟ ସଂଖ୍ୟା ହଜାରେ କରିବାକୁ ମୋଦୀ ସରକାରକୁ ଅପିଲ କଲେ ପ୍ରଣବ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲୋକସଭା ସଦସ୍ୟ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଣବ କହିଛନ୍ତି ଯେ, ଏବେ ଲୋକସଭା କ୍ଷେତ୍ର ସଂଖ୍ୟା ୫୪୩ ରୁ ବୃଦ୍ଧି କରି ୧୦୦୦ କରିବା ଆବଶ୍ୟକ। ତା ସହ ରାଜ୍ୟସଭା ସଦସ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି କରିବା ଆବଶ୍ୟକ ବୋଲି ପ୍ରଣବ କହିଛନ୍ତି। ସେ କହିଛନ୍ତି ଯେ ଦେଶର ଲୋକସଂଖ୍ୟା ଓ ବିବିଧତ୍ଵକୁ ଦୃଷ୍ଟିରେ ରଖି ଏହାରି ଆବଶ୍ୟକତା ରହିଛି।

ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଦ୍ବିତୀୟ ଅଟଳ ବାଜପେୟୀ ସ୍ମୃତି ବ୍ୟାଖ୍ୟାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖାର୍ଜୀ କହିଥିଲେ ଯେ, ଶେଷ ଥର ପାଇଁ ଲୋକସଭା ସଦସ୍ୟ ସଂଖ୍ୟା ୧୯୭୭ ରେ ପରିବର୍ତ୍ତନ ହୋଇଥିଲା। ସେତେବେଳେ ୨୯୭୧ ଜନଗଣନା ଅନୁସାରେ ଲୋକସଭା କ୍ଷେତ୍ରର ନିର୍ଧାରଣ ହୋଇଥିଲା। ସେ ସମୟରେ ଦେଶର ଲୋକସଂଖ୍ୟା ୫୫ କୋଟି ଥିଲା। ତେବେ ସେବେଠାରୁ ଏଯାଏ ଦେଶର ଲୋକସଂଖ୍ୟା ଦୁଇ ଗୁଣାରୁ ଅଧିକ ହୋଇଗଲାଣି। ସେଥିପାଇଁ ଲୋକସଭା କ୍ଷେତ୍ରର ପୁନର୍ଗଠନ ଉପରେ କଟକଣା ଶେଷ ହେବା ଜରୁରୀ।

ଏଥିସହ ପ୍ରଣବ ମୁଖାର୍ଜୀ ବହୁମତର ଦୁରୁପୋଯୋଗ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆମେ ଭାବୁ ଯେ ଯଦି ଗୃହରେ ପୂର୍ଣ୍ଣ ବହୁମତ ମିଳିଗଲା ତାହେଲେ ସବୁ କିଛି କରିହେବ। ହେଲେ ଏଭଳି ହେବା କଥା ନୁହେଁ। ଏପରି ଲୋକଙ୍କୁ ଅତୀତରେ ସାଧାରଣ ଜନତା ତାଙ୍କର ନିଷ୍ପତ୍ତି ବି ଦେଇ ସାରିଛନ୍ତି।

ଏହା ବ୍ୟତୀତ ମୁଖାର୍ଜୀ ଏକ ଦେଶ, ଏକ ନିର୍ବାଚନ ପ୍ରସ୍ତାବରେ ଅସହମତି ପ୍ରକାଶ କରିଛନ୍ତି। ସମ୍ବିଧାନରେ ସଂଶୋଧନ ମଧ୍ୟରେ ଏପରି କରାଯାଇ ପାରିବ, ହେଲେ ଭବିଷ୍ୟତରେ ଜନ ପ୍ରତିନିଧି ସରକାର ଉପରେ ଅବିଶ୍ବାସ ପ୍ରସ୍ତାବ ନ ଆଣିବେ ଏହାର କଣ ଗ୍ୟାରେଣ୍ଟି ଅଛି।