ନବନୀତା ବ୍ୟୁରୋ। ନାରୀ ଅସୁରକ୍ଷିତ। ଘରେ ହେଉ କି ବାହାରେ ସବୁଠି ନିଜକୁ ଅସୁରକ୍ଷିତ ମଣୁଛନ୍ତି ମହିଳା। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଯୌନ ଉତ୍ପୀଡନ ହେଉ କି ରାସ୍ତାଘାଟରୁ ଜୋରଜବରଦସ୍ତ ଉଠାଇ ନେଇ ବଳାତ୍କାର, ଏଭଳି ଘଟଣା ରାଜ୍ୟରେ କେଉଁଠି ନା କେଉଁଠି ଘଟୁଥିବା ଖବର ସାମ୍ନାକୁ ଆସୁଛି। ତେବେ ରକ୍ଷକ ଯଦି ଭକ୍ଷକ ସାଜେ… ତାହେଲେ ଲୋକେ ଭରସା କରିବେ କାହାକୁ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ପୁଣ୍ୟ କ୍ଷେତ୍ର ପୁରୀରେ। ପୋଲିସ ପରିଚୟ ଦେଇ ଜଣେ ଯୁବତୀଙ୍କୁ କାରରେ ଲିଫ୍ଟ ଦେଇ ପୁରୀକୁ ନେଇ ଯାଇଥିଲେ। ପୋଲିସ କ୍ୱାର୍ଟରରେ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

କେମିତି ଘଟିଲା ଘଟଣା
ସୋମବାର ଯୁବତୀ ଜଣକ କାକଟପୁର ଯିବା ପାଇଁ ନିମାପଡ଼ା ବସ୍ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଏ ସମୟରେ ଜଣେ ବ୍ୟକ୍ତି ନିଜକୁ ପୋଲିସ ପରିଚୟ ଦେଇ କାରରେ ଲିଫ୍ଟ ଦେବାକୁ କହିଥିଲେ। ହେଲେ ଯୁବତୀଙ୍କ ଭରସା ପାଇନଥିଲା। ତେଣୁ ଯୁବକ ଜଣକ ପୋଲିସ ପରିଚୟ ପତ୍ର ଦେଖାଇବା ପରେ ଭରସା ପାଇଲା। ଏହାପରେ ଯୁବତୀ ଜଣକ ସଂପୃକ୍ତ ଯୁବକଙ୍କ ସହ କାରରେ ବସିଥିଲେ। ହେଲେ କାରରେ ବସିବା ବେଳେ ଭିତରେ ଆଉ ତିନି ଜଣ ଯୁବକ ବସିଥିଲେ। ଯୁବତୀ ଜଣକ ଡୋର ପାଖରେ ବସିଥିଲେ ହେଁ ତାଙ୍କୁ ମଝିରେ ଜୋର ଜବରଦସ୍ତ ବସାଇଥିଲେ। ଏପରିକି କାକଟପୁର ନେବା ପରିବର୍ତ୍ତେ ତାଙ୍କୁ ପୁରୀ ଝଡେଶ୍ୱର୍ କ୍ଳବ୍ ନିକଟ ଏକ ପୋଲିସ କ୍ୱାର୍ଟରକୁ ନେଇ ଯାଇଥିଲେ। କବାଟ ବନ୍ଦ କରି ଘର ବାହାରେ ଦୁଇ ଜଣ ରହିଥିବା ବେଳେ ଭିତରେ ଦୁଇ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ହେଲେ ଯୁବତୀ ଜଣେ ଅଭିଯୁକ୍ତଙ୍କ ପର୍ଶ ଟାଣି ଆଣିଥିଲେ, ଯେଉଁଥିରେ ତାଙ୍କର ପରିଚୟ ପତ୍ର ଓ ଆଧାର କାର୍ଡ ଥିଲା। ପୋଲିସ ସଂପୃକ୍ତ ଯୁବକଙ୍କ ପରିଚୟ ପାଇଛି। ସଂପୃକ୍ତ କନେଷ୍ଟବଳ ଜଣକ ହେଲେ ଜିତେନ୍ଦ୍ର ସେଠୀ। ସେ ପୂର୍ବରୁ ବହିଷ୍କୃତ ହୋଇଥିବା ଜଣା ପଡ଼ିଛି।

ମୁଖ୍ୟ ଅଭିଯୁକ୍ତ ଗିରଫ
ପୁରୀରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀକୁ ଗିରଫ କରିଛି। ତାସହ ତାଙ୍କ ୩ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏନେଇ ପକସୋ ଅାକ୍ଟରେ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

କଂଗ୍ରେସର ରାତିଅଧିଆ ପ୍ରତିବାଦ
ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ କଂଗ୍ରେସ ପକ୍ଷରୁ ରାତି ଅଧିଆ ପ୍ରତିବାଦ କରାଯାଇଛି। ପୀଡିତା ଯୁବତୀଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଂଗ୍ରେସ ଭବନରୁ ମହମବତୀ ଶୋଭାଯାତ୍ରା ବାହାରିଥିଲା। ଏଥିରେ ଶତାଧିକ କର୍ମୀ ମହମବତୀ ଧରି ନବୀନ ନିବାସ ଘେରାଉ କରିବା ପାଇଁ ଯାଉଥିବା ବେଳେ ଶିଶୁ ଭବନ ଛକଠାରେ ପୋଲିସ କଂଗ୍ରେସ କର୍ମୀ ମଧ୍ୟରେ ଠେଲା ପେଲା ହୋଇଥିଲା। ଘଟଣାରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ।
ରକ୍ଷକ ଯଦି…
ରାଜ୍ୟରେ ମହିଳା ଦୁଷ୍କର୍ମ କିଛି ନୂଆ ଘଟଣା ନୁହେଁ। ପ୍ରତିଦିନ କିଛି ନା କିଛି ଏଭଳି ଘଟଣା ଘଟୁଥିବା ନଜିର ରହିଛି। ହେଲେ ପୋଲିସ କନେଷ୍ଟବଳ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ପୋଲିସ କର୍ମଚାରୀ ରାକ୍ଷସ ସାଜିବେ ତାହେଲେ ଲୋକେ ଗୁହାରି କରିବେ କାହାକୁ। ପୋଲିସ ଉପରୁ ଲୋକଙ୍କ ଆସ୍ଥା ତୁଟି ଯିବ। ହେଲେ ଯେଉଁଠି ନେତା ବାନ୍ଧବୀଙ୍କ ସହ ମଉଜ ମଜଲିସ୍ କରିବା ହେଉ କି କାର ଭିତରେ ପୁରୁଣା ପ୍ରେମିକାକୁ ନେତାଙ୍କ ରାସଲୀଳା। ସେଭଳି ରାଜ୍ୟରେ ମହିଳା କେତେ ସୁରକ୍ଷିତ ତାହା ଏଥିରୁ ସ୍ପଷ୍ଟ ବାରି ହେଇ ପଡ଼ୁଛି।
