ନବନୀତା ବ୍ୟୁରୋ। ଏକାଦଶ ଶ୍ରେଣୀ ଛାତ୍ର ଛୋଟ ପ୍ୟାଣ୍ଟ୍ ପିନ୍ଧି ସ୍କୁଲ୍ ଯିବାରୁ ଶିକ୍ଷକ ଓ ପ୍ରିନ୍ସିପଲ୍ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ଅପମାନିତ ହୋଇ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି। ପଞ୍ଜାବ ଲୁଧିଆନାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶୁକ୍ରବାର ଭୋର୍ ୩ ଟାରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଙ୍କ ବାପାଙ୍କ ବୟାନ ଅନୁସାରେ ପୋଲିସ ସ୍କୁଲର ପ୍ରିନସିପାଲ, ନିର୍ଦ୍ଦେଶକ ଓ ଅଧ୍ୟାପକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏବେ ତିନି ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ମୃତ ଛାତ୍ର ଧନଞ୍ଜୟଙ୍କ ପିତା ବୃଜରାଜ୍ ତିୱାରୀ ଏକ କାରଖାନାରେ କାମ କରନ୍ତି। ମାତା କମଲେଶ୍ ତିୱାରୀ ଗୃହିଣୀ।
ଉତ୍ତରପ୍ରଦେଶ ଗୋଡା ଜିଲ୍ଲାର ସ୍ଥାୟୀ ଅଧିବାସୀ ବୃଜରାଜ ଡାବା ଗୁରମେଲ୍ ନଗରରେ ରହୁଥିଲେ। ତାଙ୍କ ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ଧନଞ୍ଜୟ ନୂଆ ପ୍ୟାଣ୍ଟ୍ କିଣିଥିଲା। ତେବେ ଏହି ଫ୍ୟାସନ୍ ପ୍ୟାଣ୍ଟକୁ ସ୍କୁଲ୍ ବାଲେ ନାପସନ୍ଦ କରିଥିଲେ। ଏନେଇ ଧନଞ୍ଜୟ ଶିକ୍ଷକଙ୍କୁ କହିଥିଲେ ଯେ, ବାପା ଦରମା ପାଇବା ପରେ ପ୍ୟାଣ୍ଟ ବଦଳାଇଦେବି। ହେଲେ ଶିକ୍ଷକ ଶୁଣିବା ତ ଦୂରର କଥା ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଅପମାନିତ କରିଥିଲେ। ତା ଦୁଇ ଦିନ ଆଗରୁ ମାଡ଼ ମାରିଥିବା ଶିକ୍ଷକ ପୁନମ୍ ପୁଣି ଥରେ ସ୍କୁଲର ପ୍ରିନ୍ସିପାଲ ସରୋଜ ଶର୍ମାଙ୍କ ଅଫିସକୁ ନେଇଥିଲେ। ସେଠାରେ ସ୍କୁଲ ମାଲିକ ଓ ନିର୍ଦ୍ଦେଶକ ପ୍ରଭୁଦତ୍ତ ମଧ୍ୟ ଉପସ୍ଥିତ ଥିଲେ। ତିନି ଜଣ ଧନଞ୍ଜୟଙ୍କ ଟାଇରେ ତାଙ୍କ ହାତ ବାନ୍ଧି ନିର୍ଘାତ ମାଡ଼ ମାରିଥିଲେ। ଏପରିକି ତାଙ୍କର କପଡା ବି ଓହ୍ଲାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ବୃଜରାଜ୍ ତିୱାରୀଙ୍କ କହିବା ଅନୁସାରେ ମାଡ଼ରେ ଆହତ ଧନଞ୍ଜୟ ସ୍କୁଲ୍ ନା ଯିବାକୁ ଦୁଇ ଦିନ ପୂର୍ବରୁ କହିଥିଲା। କାରଣ ପଚାରିବାରୁ ସେ ଏ ବାବଦରେ କହିଥିଲା। ଏପରିକି ସେ ଦୁଇ ଦିନ ଯାଏ କିଛି ଖାଦ୍ୟ ବି ଖାଇନି। ଗୁରୁବାର ରାତିରେ ତାଙ୍କ ପାଖରେ ମା କମଲେଶ ବସି ରହିଥିଲେ କଲେ ସେ କିଛି ଖାଇବ। ବିଳମ୍ବିତ ରାତ୍ରୀ ଯାଏ ଧନଞ୍ଜୟ ଶୋଇ ନଥିଲା ଯେଉଁଥି ପାଇଁ ମା ବି ତାଙ୍କ ସହ ଘରେ ବସି ରହିଥିଲେ।
ବହୁ ବୁଝା ସୁଝା ପରେ ଅଢେଇ ବଜେରେ ଧନଞ୍ଜୟକୁ ଖାଦ୍ୟ ଖୁଆଇ ମା ନିଜ ଘରକୁ ପଳେଇ ଆସିଥିଲେ। ହେଲେ ମାର ମନ ନ ବୁଝିବାରୁ ପୁଣି ଥରେ ପୁଅକୁ ଦେଖିବାକୁ ତାଙ୍କ ରୁମକୁ ଯାଇଥିଲେ। ଘର ଭିତର ପଟରୁ ବନ୍ଦ ଥିବାରୁ ସେ ଜୋରରେ କବାଟକୁ ଧକ୍କା ଦେଇଥିଲେ। ତା ପରେ ଯାହା ଦେଖିଲେ ତାଙ୍କର ହୋସ ଉଡ଼ିଗଲା। ଭିତରେ ଧନଞ୍ଜୟ ଫାଶୀ ଲଗାଇ ଦେଖିବା ପରେ ଚିଲ୍ଲାଇ ଥିଲେ। ତାପରେ ତାକୁ ହସ୍ପିଟାଲ ନିଆ ଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅତିରିକ୍ତ ଡିସିପି ଜସକିରଣଜିତ୍ ସିଂହ କହିଛନ୍ତି ଯେ, ସ୍କୁଲ୍ ପ୍ରିନସିପାଲ୍ ସରୋଜ ଶର୍ମା, ଶିକ୍ଷକ ପୁନମ ଓ ପ୍ରଭୂଦତ୍ତ ଆତ୍ମହତ୍ୟା କରିବାକୁ ମଜବୁର କରିଥିବା ମାମଲା ରୁଜୁ କରାଯାଇଛି। ପ୍ରଭୁ ଓ ସରୋଜ ଶର୍ମା ପତି ପତ୍ନୀ। ତେବେ ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି।
