ନବନୀତା ବ୍ୟୁରୋ। ମହାରାଷ୍ଟ୍ରରେ ଠାକରେ ରାଜ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକରେ। ମୁମ୍ବାଇ ଶିବାଜୀ ପାର୍କରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଛନ୍ତି। ମହାରାଷ୍ଟ୍ର ବିକାଶ ଅଘାଡିର ନେତା ରୂପେ ଠାକରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ପାଠ କରିଛନ୍ତି। ଏଥିସହ ତିନି ଦଳର ୬ ନେତା ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ ଶିବସେନାର ଏକନାଥ ସିନ୍ଧେ, ଏନସିପିର ଜୟନ୍ତ ପାଟିଲ ଓ ଛଗନ୍ ଭୁଜବଳ ଏବଂ କଂଗ୍ରେସର ବାଲାସାହେବ ଥେରାଟ ଓ ନୀତିନ ରାଉତ।
ଭବ୍ୟ ଶପଥ ଗ୍ରହଣ ସମାରୋହରେ ଏନସିପି ମୁଖ୍ୟ ଶରଦ ପାୱାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ରିଲାଇନ୍ସ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀ, ରାଜ୍ ଠାକରେ, ଏନସିପି ନେତା ସୁପ୍ରିୟା ସୁଲେ, କଂଗ୍ରେସ ନେତା ଅହମ୍ମଦ ପଟେଲ, ମଲ୍ଲିକାର୍ଜୁନ ଖଡଗେ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ ପ୍ରମୁଖ ଉପସ୍ଥିତ ଥିଲେ। ଶିବସେନାରୁ ମୁଖ୍ୟମନ୍ତ୍ରୀ, ଏନସିପିର ଉପ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବାଚସ୍ପତି ପଦ ମିଳିବ। ତେବେ ଉପ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି କାହାକୁ କରାଯିବ ସେନେଇ ନିଷ୍ପତି ହୋଇ ନାହିଁ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଧବ ଠାକରେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋର ବିଶ୍ବାସ ଯେ ସେ ମହାରାଷ୍ଟ୍ରର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କାମ କରିବେ ବୋଲି ମୋଦି ଟୁଇଟ କରି କହିଛନ୍ତି। ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉଦ୍ଧବ ଠାକରେଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Congratulations to Uddhav Thackeray Ji on taking oath as the CM of Maharashtra. I am confident he will work diligently for the bright future of Maharashtra. @OfficeofUT
— Narendra Modi (@narendramodi) November 28, 2019
