ନବନୀତା ବ୍ୟୁରୋ। ଓଡ଼ିଶା ଆସିବେ ଦେଶର ପ୍ରଥମ ନାଗରିକ। ଆସନ୍ତା ୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଅବସରରେ ଆୟୋଜିତ ହେବାକୁ ଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରବିବାର ପ୍ଲାଟିନମ୍ ଜୁବୁଲି ସମାରୋହରେ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଉତ୍ସବର ଦ୍ଵିତୀୟ ଦିନରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଧର୍ମେନ୍ଦ୍ର କହିଥିଲେ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ଵ ସ୍ତରରେ ପରିଣତ କରିବା ପାଇଁ ପୁରାତନ ଛାତ୍ରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆବଶ୍ୟକ। ଏଥିସହ ପୁରାତନ ଛାତ୍ର ସଂସଦ ପାଣ୍ଠି କରିବାକୁ ପ୍ରସ୍ତାବ ଦେବା ସହ ଏଥିପାଇଁ ସେ ବର୍ଷ କର ଦରମା ଦେବାକୁ ଘୋଷଣା କରିଥିଲେ।

ବିଶ୍ବବିଦ୍ୟାଳୟର ପାଞ୍ଚ ଦିନିଆ ସମାରୋହକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ଅବସରରେ ବିଶ୍ବବିଦ୍ୟାଳୟରେ ୬ଟି ଉତ୍କୃଷ୍ଟତା କେନ୍ଦ୍ର ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
