ନବନୀତା ବ୍ୟୁରୋ। ଏଣିକି ମୁଖ୍ୟମନ୍ତ୍ରୀଙ୍କ ନଜରରେ ରହିବେ ବିଜେଡ଼ି ବିଧାୟକ। ବିଧାୟକଙ୍କ କାର୍ଯ୍ୟକଳାପ ଓ ପ୍ରଦର୍ଶନ ଉପରେ ତୀକ୍ଷଣ ନଜର ରଖିବେ ଦଳର ମୁଖିଆ। ଏପରିକି ଗୃହରେ ଦୁଇ ଦିନ ଅନୁପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। କାରଣ ବିଧାନସଭା ଅଧିବେଶନ ବେଳେ ଅଧିକ ସଂଖ୍ୟାରେ ବିଜେଡ଼ି ବିଧାୟକଙ୍କୁ ଉପସ୍ଥିତି ରହିବା ନେଇ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ। ଗୃହରେ ବିତର୍କରେ ଭାଗ ନେବା ସହ ପ୍ରଥମ କରି ନିର୍ବାଚିତ ହୋଇଥିବା ବିଧାୟକଙ୍କ ପ୍ରଦର୍ଶନ ଉପରେ ନଜର ରହିବ।
କେବଳ ଏତିକି ନୁହେଁ, କାର୍ଯ୍ୟକଳାପ ଓ ପ୍ରଦର୍ଶନ ନେଇ ଦୁଇ ମାସିଆ ରିପୋର୍ଟ ଦେବେ ବିଜେଡ଼ି ବିଧାୟକ। ଏନେଇ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିଟିରେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ ଓ କିଶୋର ମହାନ୍ତି ରହିଛନ୍ତି। ୧୦ ଦିନ ମଧ୍ୟରେ ରିପୋର୍ଟର ଢାଞ୍ଚା ଓ ରୂପରେଖ ବିଷୟରେ କମିଟି ରିପୋର୍ଟ ଦେବ।
