ନବନୀତା ବ୍ୟୁରୋ। ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ। ଭୋଟ ପାଇଁ ନେତାମାନେ ନିଜ ପାରି ଖେଳିଛନ୍ତି। ହେଲେ ଏବେ ଜିତ ପାଇଁ ସେମାନଙ୍କୁ ଭଗବାନଙ୍କ ଭରସା ରହିଛି। ମତଦାନ ପୂର୍ବରୁ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହନୁମାନଙ୍କ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି।
ସେହିପରି ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ କାଳକାଜି ଦେବୀଙ୍କୁ ଦର୍ଶନ କରି ଜିତ ପାଇଁ ଆଶୀର୍ବାଦ ନେଇଛନ୍ତି। ଏହା ପୂର୍ବରୁ ତିୱାରୀ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରୁ ମୁକ୍ତ ହୋଇ ପିଲାଛୁଆଙ୍କ ସହ କ୍ରିକେଟ ଖେଳି କିଛି ସମୟ ବିଶ୍ରାମ ନେଇଥିଲେ।
ଶନିବାର ସକାଳୁ ମଧ୍ୟ କିଛି ନେତା ଭଗବାନଙ୍କ ଆଶିର୍ବାଦ ନେଇ ନିଜ ମତଦାନ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏଥିପାଇଁ ଏବେ ଠାରୁ ଯୋଜନା ପ୍ରସ୍ତୁତ କରାଯାଉଛି। ଶନିବାର ମନୋଜ ତିୱାରୀ କନ୍ନାଟ ପ୍ଲେସ ସ୍ଥିତ ପ୍ରସିଦ୍ଧ ହନୁମାନ ମନ୍ଦିର ଯାଇ ଆଶିର୍ବାଦ ଗ୍ରହଣ କରିପାରନ୍ତି। କଂଗ୍ରେସର କାଳକାଜି ବିଧାନସଭା ପ୍ରାର୍ଥୀ ଶିବାନୀ ଚୋପଡା ମଧ୍ୟ କାଳକାଜି ଦେବୀଙ୍କ ଆଶିର୍ବାଦ ନେଇ ପାରନ୍ତି।
