ସରିଲା ଅଡ଼ାକଷା ବାବାମଠ ପୂଜାଡୁଙ୍ଗୁରି ଯାତ୍ରା

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଦୀର୍ଘ ୯ ଦିନ ବ୍ୟାପୀ ଚାଲିଥିବା ଅଡାକଷା ଯାତ୍ରା ନାମ ଶେଷ ହୋଇଛି। ଆଞ୍ଚଳିକ ନାମ ଯଜ୍ଞ କମିଟି ପକ୍ଷରୁ ଆୟୋଜିତ ଏ ଉତ୍ସବରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ମା ଚନ୍ଦିଲିପାଟ୍, ମାଁ ଝାରଖଡିଆଁନ୍ ଓ ପିତାବଳି ଆଦି ଦେବା ଦେବୀଙ୍କୁ ପୂଜା କରା ଯାଇଥିଲା।

କାର୍ତ୍ତିକ ମାସ ଅମାବାସ୍ୟା ତିଥିରୁ ନବମୀ ଯାଏ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଦିଦିନ ପୂଜାପାଠ ସହ ନାମ ଯଜ୍ଞ ବେଶ୍ ଧୁମଧାମରେ ଚାଲିଥିଲା। ପ୍ରତିଦିନ ୧୦ ହଜାର ଲୋକଙ୍କୁ ମାଗଣାରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏଥିସହ ମୀନା ବଜାର ବୁଲିବା ସହ ପାହାଡ଼ ଚଢି ଫଟୋ ଉଠାଇବାର ମଜା ଉଠାଇଥିଲେ ଯୁବ ପୀଢ଼ି। ଏ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଜୁନିଅର୍ ରେଡକ୍ରସ ତରଫରୁ ଆୟୋଜିତ ଏ ଶିବିରରେ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ପୂର୍ବ ପୁରୁଷାରୁ ଫୁଲଚାଙ୍ଗିରି ପାହାଡ଼ରେ ଆଦିବାସୀମାନେ ପୂଜାପାଠ ଆରମ୍ଭ କରିଥିଲେ। ସେ ସମୟରେ ଝାଙ୍କର୍ ପୂଜା ସ୍ଥଳରେ ଲୋଟା ଛାଡ଼ି ଆସିଥିଲା। ହେଲେ ଲୋଟା ନେଇଯିବା ସମୟରେ ଚନ୍ଦିଲି ପାଟ୍ ଦେବୀ ଆବିର୍ଭାବ ହୋଇ ଲୋଟାକୁ ଫିଙ୍ଗି ଦେଇଥିଲେ। ଲୋଟା ଯେଉଁଠି ପଡ଼ିଥିଲା ସେଠାରେ ଏବେ ପୂଜା ପାଠ ଚାଲିଛି। ଦେବୀ ଥରେ ବୋଦା ବଳି ଦିଆଯାଇଥିଲେ ବି ସେଠାରେ ରକ୍ତ ଟୋପାଏ ପଡିନଥିଲା। ତା ପରଠାରୁ ଫୁଲ ଚାଙ୍ଗିରିରୁ ପୂଜା ଡୁଙ୍ଗୁରି ନାଁରେ ନାମିତ ହୋଇଛି।

ବାବା ମଠ ଗୁମ୍ଫାରେ ଋଷିି ମୁନି ମାନେ ତପସ୍ୟା କରୁଥିବା ଲୋକ ଲୋଚନ ରୁ ଜଣାଯାଏ। ଏବେ ବି ସେଠାରେ ପୂଜା ପାଠ କରୁଥିବା ନଜିର ରହିଛି। ବିଶେଷ କରି ଗୁମ୍ଫା ରୁ ଆରମ୍ଭ କରି ୩୫୦ ମିଟର ଯାଏ ସୁଡ଼ଙ୍ଗ ରହିଛି। ଯାହା ଦର୍ଶକଙ୍କ ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରତିବର୍ଷ କାର୍ତ୍ତିକ ଓ ଚୈତ୍ର ମାସରେ ଦୁଇ ଥର ପୂଜାପାଠ ଅନୁଷ୍ଠିତ ହେଇ ଆସୁଛି।

୨୦୦୬ ମସିହାରୁ ସ୍ଥାନୀୟ ଲୋକଙ୍କ ପ୍ରସ୍ତାବରେ ବାବା ମଠରେ ଏକାଦଶୀ ଆରମ୍ଭ ହୋଇଥିଲା। ତା ପରେ ପରେ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ପ୍ରଚାର ପ୍ରସାର ହୋଇ ସାରା ଜିଲ୍ଲା କୁ ବ୍ୟାପିଲା। ତତ୍କାଳୀନ ସୋନେପୁର ଜିଲ୍ଲାପାଳ ସ୍ବର୍ଗତ ଗଗନ ସ୍ୱାଇଁ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ଉଦ୍ୟମ କରିଥିଲେ। ଏହାପରେ ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଖୁସ୍ ହୋଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନୁଦାନ ପ୍ରଦାନ କଲେ। ଅନୁଦାନ ଟଙ୍କାରେ ବାବା ମଠ, ନାମ ମଣ୍ଡପ ଓ ପାହାଚ ନିର୍ମାଣ କରାଗଲା। ହେଲେ ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ରାମପୁର ଓ ଶୁଲେଇ ଉଭୟ ପଟରୁ ରାସ୍ତା ତିଆରି କରାଗଲା।

ପୂଜା ଡୁଙ୍ଗୁରିର ଉତ୍ତର ପାର୍ଶ୍ୱରେ ଉଷା କୋଠୀ ନାମକ ଏକ ଗୁମ୍ଫା ରହିଛି। ସେଠାରେ ବହୁ ପ୍ରାଚୀନ କାଳର ଦେବା ଦେବୀଙ୍କ ଚିତ୍ର ଓ ଜୀବଜନ୍ତୁଙ୍କ ଫଟୋ ରହିଛି। ଏବେ ଧୀରେ ଧୀରେ ପ୍ରଚାର ପ୍ରସାର ହେବା ସହ ଏହି ପର୍ଯ୍ୟଟନ ସ୍ଥଳୀକୁ ଲୋକଙ୍କ ସମାଗମ ହେବାରେ ଲାଗିଛି।