ଓଡ଼ିଶା ରାଜନୀତିରେ ଇତିହାସ ରଚିଲେ ରୀତା: ସତ ହେଲା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭବିଷ୍ୟବାଣୀ, ଏଥର ପୁଣି ମିଳିବ କି ଉପହାର! 

ବଡ଼ ଖବରମିଶନ ବିଜେପୁରରାଜନୀତିସ୍ପେଶାଲ
ନବନୀତା ବ୍ୟୁରୋ । ପ୍ରକାଶ ପାଇଛି ଚର୍ଚ୍ଚିତ ବିଜେପୁର ଉପନିର୍ବାଚନର ଫଳାଫଳ । କ୍ରମାଗତ ଭାବେ ବିଜେଡି ଜିତ ହାସଲ କରିବାରେ ସମର୍ଥ ହୋଇଛି । କେବଳ ଜିତ୍ ନୁହେଁ, ଅଧିକ ଭୋଟ ମାର୍ଜିନରେ ବିଜୟର ଟିକା ପିନ୍ଧିଛନ୍ତି ରୀତା ସାହୁ । ଗତ ୨୦୧୮ର ନିଜର ଭୋଟ ସହ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଭୋଟକୁ ମଧ୍ୟ ଟପି ଯାଇଛନ୍ତି । ଏହି ବୃହତ ବିଜୟ ବ୍ୟବଧାନ ଲାଗି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ଅନେକ ମନ୍ତ୍ରୀ ଓ ନେତା ଶୁଭେଚ୍ଛା ଜଣାଇଛନ୍ତି ।
ରୀତାଙ୍କ ନୂଆ ରେକର୍ଡ
ବିଜେପୁରରେ ସନତ ଗଡ଼ତିଆଙ୍କୁ ୯୭,୯୯୪ ବୃହତ ଭୋଟ ବ୍ୟବଧାନରେ ବିଜୟୀ ହୋଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ରୀତା ସାହୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଭୋଟ ବ୍ୟବଧାନକୁ ବି ଟପି ଯାଇଛନ୍ତି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୫୬ ହଜାର ଭୋଟରେ ପରାସ୍ତ କରିଥିଲେ । ଏଥିସହ ପୂର୍ବତନ ବିଜେପି ନେତା ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ରେକର୍ଡକୁ ଭାଙ୍ଗି ଓଡ଼ିଶା ରାଜନୀତିରେ ନୂଆ ଇତିହାସ ରଚିଛନ୍ତି ରୀତା । ଗତ୨୦୦୦ ମସିହାରେ ବିଶ୍ୱଭୂଷଣ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୯୪,୫୫୪ ଭୋଟରେ ହରାଇ ବିଜୟୀ ହୋଇଥିଲେ । ଏହି ରେକର୍ଡକୁ ଭାଂଗି ନିଜ ନାଁରେ କରିଛନ୍ତି ରୀତା ସାହୁ । ସେହିପରି ଗତ ନିର୍ବାଚନରେ ଖଣ୍ଡପଡାରୁ ୮୧,୪୩୦ ଭୋଟରେ ନିର୍ବାଚନ ଜିତିିଥିବା ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତିି । ଏଥର ରୀତା ସାହୁ ୯୭,୯୯୪ ଭୋଟରେ ବିଜୟୀ ହୋଇ ବିଶ୍ୱଭୂଷଣ, ସୌମ୍ୟ ଓ ନବୀନଙ୍କ ରେକର୍ଡ ଭଂଗ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ରୀତା ।
ସତ ହେଲା ସୁଶାନ୍ତ ସିଂଙ୍କ ଭବିଷ୍ୟବାଣୀ
ଫଳାଫଳ ବାହାରିବାର ଦୁଇ ଦିନ ପୂର୍ବରୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଯାହା ଭବିଷ୍ୟବାଣୀ କରିଥିଲେ ତାହା ଆଜି ସତରେ ପରିଣତ ହୋଇଛି । ବିଜେଡି ଏକତରଫା ଭାବେ ନିର୍ବାଚନ ଜିତିବା ସହ ରୀତା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ମଧ୍ୟ ଅଧିକ ମାର୍ଜିନରେ ବିଜୟୀ ହେବେ ବୋଲି କହିିଥିଲେ ସୁଶାନ୍ତ । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୭,୯୯୪ ଭୋଟରେ ପରାସ୍ତ କରିଛନ୍ତି ରୀତା । କେବଳ ଭୋଟ ବ୍ୟବଧାନ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ମୋଟ ଭୋଟ ସଂଖ୍ୟାରୁ ବି ଅଧିକ ଭୋଟ ହାତେଇବ ବିଜେଡି । ଏପରିକି ବିଜେଡି ପ୍ରାର୍ଥୀ ଲକ୍ଷେ ୨୫ ହଜାରରୁ ଲକ୍ଷେ ୪୦ ହଜାର ମଧ୍ୟରେ ଭୋଟ ପାଇବ ବୋଲି ଭବିଷ୍ୟବାଣୀ କରିିଥିଲେ ସୁଶାନ୍ତ । ମନ୍ତ୍ରୀ ସୁଶାନ୍ତଙ୍କ ଆକଳନ ଆଜି ସତରେ ରୂପାନ୍ତରିତ ହୋଇଛି । ରୀତା ସାହୁ ମୋଟ ୧, ୩୫,୯୪୯ ଖଣ୍ଡ ଭୋଟ ପାଇ ଓଡ଼ିଶା ରାଜନୀତି ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।
ଏଥର ସୁଶାନ୍ତଙ୍କୁ କି ଉପହାର ଦେବେ ମୁଖ୍ୟମନ୍ତ୍ରୀ!
ବିଜେପୁର ଉପନିର୍ବାଚନର ସଂପୂର୍ଣ୍ଣ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ ନ୍ୟସ୍ତ ଥିଲା । ପାଟକୁରା ନିର୍ବାଚନ ସରିବା ପରେ ବିଜେପୁର ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମନ୍ତ୍ରୀ ସୁଶାନ୍ତ ସିଂ ବିଜେପୁରରେ ନିର୍ବାଚନ ଲାଗି ଜୋରସୋର ପ୍ରସ୍ତୁତି ଚଳାଇଥିଲେ । ଏପରିକି ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ବରଗଡ ଗସ୍ତକୁ ଯାଇ ଜିଲ୍ଲା ସହ ବିଜେପୁରର ବିକାଶ ସମୀକ୍ଷା କରିଥିଲେ । ସେବେଠାରୁ ବାରି ହୋଇ ପଡୁଥିଲା ବିଜେପୁର ପ୍ରାକ ନିର୍ବାଚନୀ ପ୍ରସ୍ତୁତିର । ସଠିକ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରି ବିଜେପୁରରେ ବାଜି ମାରିବାରେ ସଫଳ ହୋଇଛି ବିଜେଡି । କିଂଗ ମେକର ସାଜିଥିବା ମନ୍ତ୍ରୀ ସୁଶାନ୍ତ ସିଂ ଏହାର ଅହମ ଭୂମିକା ନିର୍ବାହ କରୁଥିଲେ । ଦଳୀୟ ପ୍ରାର୍ଥୀଙ୍କୁ ବୃହତ ବ୍ୟବଧାନରେ ଜିତାଇବା ସହ ବିଜେଡିକୁ ବିଜେପୁରର ବାଜିଗର କରି ନିଜ ଟେକ ରଖିଛନ୍ତି ସୁଶାନ୍ତ । ତେବେ ଗତ ୨୦୧୮ ଉପ ନିର୍ବାଚନରେ ରୀତା ସାହୁଙ୍କୁ ୪୦ ହଜାର ଭୋଟରେ ବିଜୟୀ କରାଇବା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପ୍ରତି ଖୁବ୍ ସନ୍ତୁଷ୍ଟ ହୋଇଥିଲେ । ଏପରିକି ନିର୍ବାଚନରେ ଭଲ ଫଳାଫଳ ଲାଗି ଶ୍ରମ ମନ୍ତ୍ରୀ ଥିବା ସୁଶାନ୍ତଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଉପହାର ଦେଇଥିଲେ । ହେଲେ ବିଜୟ ବ୍ୟବଧାନ ପାଖାପାଖି ଅଢ଼େଇ ଗୁଣା ବଢ଼ିବା ସହ ଏକତରଫା ଭାବେ ଜିିତିଛି ବିଜେଡି । ତେଣୁ ଏଥର ମଧ୍ୟ ନିର୍ବାଚନରେ ହାଲିଆ ହୋଇଥିବା ଶ୍ରମ ମନ୍ତ୍ରୀଙ୍କୁ ପ୍ରତି ଖୁସ୍ ହୋଇ ନବୀନ କି ଉପହାର ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।