ନବନୀତା ବ୍ୟୁରୋ । ନିର୍ବାଚନ ଜିତିବାର ରଣ କୌଶଳ କେବଳ ବିଜେଡିକୁ ହିଁ ଜଣା । ସାଧାରଣ ନିର୍ବାଚନ ହେଉ କି ଉପନିର୍ବାଚନ ସବୁଥିରେ ସଫଳତା ହାତେଇବାରେ ଆଗରେ ରହିଛି ବିଜେଡି । ଏକ ଆଞ୍ଚଳିକ ଦଳ ହୋଇ ଦୁଇ ଦଶନ୍ଧି ହେଲା ରାଜ୍ୟରେ ନିଜର ଦବଦବା ଜାରି ରଖିଛି । ତେବେ ନିର୍ବାଚନକୁ କେତେ ଗୁରୁତ୍ୱର ସହ ନେଇ ମୈଦାନକୁ ଓହ୍ଲାଏ ତାହା ବିଜେପୁର ଉପନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି । ଜାତୀୟ ଦଳ ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ଧୂଳି ଚଟାଇ ହ୍ୟାଟ୍ରିକ ବିଜୟୀ ହାସଲ କରିଛି ବିଜେଡି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିବା ବେଳେ ୨୦୧୮ ଓ ୨୦୧୯ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନି ରୀତା ସାହୁ ପୁନର୍ବାର ଜିତିଛନ୍ତି ।
ବିଜେପୁରରେ ରୀତା ସାହୁଙ୍କ ବୃହତ ବିଜୟ । ଐତିହାସିକ ଜିତ । ତାହା ପୁଣି ୯୭,୯୯୪ ଭୋଟ ବ୍ୟବଧାନରେ । ଏଥିସହ ଉପନିର୍ବାଚନରେ ଦ୍ୱିତୀୟ ଥର ନିର୍ବାଚନ ଜିତି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ରୀତା । ବିଜେଡିର ରୀତା ସାହୁ ମୋଟ ୧, ୩୫,୯୪୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ସନତ ଗଡ଼ତିଆ ୩୭,୯୫୫ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚର୍ଚ୍ଚା ହେଉଥିଲା ସନତ ଏଥର ଗତଥର ଅପେକ୍ଷା ଭଲ କରିବେ । କାରଣ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦୀ ଭାବେ ଛିଡ଼ା ହୋଇ ୫୩,୪୮୨ ଭୋଟ ପାଇଥିଲେ । ତେଣୁ ବିଜେପୁର ଉପନିର୍ବାଚନରେ ପୁଣି ଥରେ ଦଳ ତାଙ୍କୁ ପ୍ରାର୍ଥୀ କରିଥିବାରୁ ଭୋଟ ସଂଖ୍ୟା ବଢ଼ିବା ଆଶା କରାଯାଉଥିଲା । ହେଲେ ଭୋଟ ବଢ଼ିବ କଣ ଓଲଟା ୧୫,୫୨୭ ଭୋଟ ହ୍ରାସ ପାଇଛି । ସେପଟେ କଂଗ୍ରେସର ଦିଲିପ ପଣ୍ଡା କେବଳ ୫,୮୭୧ ଖଣ୍ଡ ଭୋଟ ପାଇ ଅମାନତ ବି ରଖି ପାରି ନାହାନ୍ତି । ଗତ ଥର କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ ୧୪,୩୪୪ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ତାହା ୫ ହଜାରକୁ ଖସି ଆସିଛି । ଦିନେ କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁରରେ ଏବେ ଦଳର ଆଉ ଅସ୍ତିତ୍ୱ ନ ଥିବା ଭଳି ମନେ ହେଉଛି ।
ତେବେ ବିଜେପୁରରେ ବିଜେଡିର ଅଦ୍ଭୁତପୂର୍ବ ବିଜୟ ପରେ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ କରି ଶୁଭେଚ୍ଛା ଜଣାଇବା ସହ ବିଜେପୁରବାସୀଙ୍କ ନିରସ୍ତର ଭଲ ପାଇବା ଏବେ ଆହୁରି ନିବିଡ଼ ହୋଇଛି ବୋଲି ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି । ବିଜେପୁରର ଉନ୍ନତି ପ୍ରତି ସର୍ବଦା ଆମର ପ୍ରତିବଦ୍ଧତା ରହିଛି, ଏହି ଧାରା ଆଗକୁ ଆହୁରି ଦୃଢ଼ ହେବ ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ନବୀନ । ଏଥିସହ ବିଜେପୁରବାସୀ ଓ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ବିଜୟ ସୁନିଶ୍ଚିତ ଥିଲା ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି ନବ ନିର୍ବାଚିତ ବିଜେଡି ବିଧାୟିକା ରୀତା ସାହୁ । ବିଜେପୁରବାସୀ ବିଜୟ ଉପହାର ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଜିତର ରହସ୍ୟ ସଂପର୍କରେ କିଛି କହିନଥିବା ବେଳେ ବିଜୟର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ରୀତା ।
ସେପଟେ ନିର୍ବାଚନରେ ପରାଜୟ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ । ଶାସକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଅର୍ଥ ଓ ବାହୁ ବଳ ପ୍ରୟୋଗ କରିଥିବା ସେ କହିଛନ୍ତି । ଏହାର ପ୍ରମାଣ ପାଇଁ ଯଥେଷ୍ଟ ପ୍ରମାଣ ରହିଥିବା ସୂଚନା ଦେଇଛନ୍ତି ସନତ ଗଡ଼ତିଆ । ଅନ୍ୟପଟେ ପରାଜୟ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲିପ ପଣ୍ଡା । ନିର୍ବାଚନ ଗଣିତରେ ଫେଲ ହୋଇଗଲି ସତ କିନ୍ତୁ ଲୋକଙ୍କ ସହ ଭଲ କେମେଷ୍ଟ୍ରି ଥିବା ସେ କହିଛନ୍ତି । ସେ କାରଣ ଯାହା ବି ହେଉ ବିଜେଡି ଏଠାରେ ନିଜର ଦବଦବା ଜାରି ରଖିଛି । କ୍ରମାଗତ ଭାବେ ନିର୍ବାଚନରେ ଭୋଟ ପ୍ରତିଶତ ସହ ବିଜୟର ଭୋଟ ମାର୍ଜିନ ବି ବଢ଼ି ବଢ଼ି ଚାଲିଛି ।
