ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦୃଢୋକ୍ତି: ବିଜେପୁରରେ ଏକପାଖିଆ ଭାବେ ଜିତିବ ବିଜେଡି ! ଜାଣନ୍ତୁ ନିର୍ବାଚନର ଗୁଢ଼ ରହସ୍ୟ।

ମିଶନ ବିଜେପୁରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ବିଜେପୁର ଉପନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ମଧ୍ୟରେ ବାକ୍ ଯୁଦ୍ଧ। ନିଜ ନିଜ ପ୍ରାର୍ଥୀ ବିଜୟୀ ନେଇ ଦାବି କରୁଛନ୍ତି ତିନି ଦଳ। ଆସନ୍ତା ୨୪ ତାରିଖରେ ଗଣତି ପରେ ସବୁ ସ୍ପଷ୍ଟ ହୋଇଯିବ। ହେଲେ ତା ପୂର୍ବରୁ ବିଜେଡ଼ି ପ୍ରାର୍ଥୀ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି ବିଜେଡ଼ି ଏଥର ଏକ ତରଫା ଭାବେ ବିଜୟୀ ହେବ। ବିଜେପୁର ଉପନିର୍ବାଚନ ବିଜେଡି ସପକ୍ଷରେ ଯାଇଛି। ବିଜେପି, କଂଗ୍ରେସ ପ୍ରତି ଲୋକଙ୍କ ସେତେଟା ଉତ୍ସାହ ନ ଥିଲା। ତେଣୁ ବିଜେଡ଼ି ଏକ ତରଫା ଭାବେ ଜିତିବା ବୋଲି କହିଛନ୍ତି ମନ୍ତ୍ରୀ ସୁଶାନ୍ତ। ସେପଟେ କଂଗ୍ରେସ ପ୍ରାର୍ଥୀ ଜିତିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ କମ୍ ଖର୍ଚ୍ଚ କରିଥିଲେ ବି ଲୋକେ ଗତ ନିର୍ବାଚନ ଠାରୁ ଅଧିକ ମାତ୍ରାରେ ଭୋଟ ଦେଇଥିବା କହିଛନ୍ତି ତାରା । ତେବେ ବିଜେପି ମଧ୍ୟ ଜିତିବା ନେଇ ଆଶା ରଖିଥିବା ବେଳେ ଆସନ୍ତା ୨୪ ତାରିଖରେ ସବୁ ସ୍ପଷ୍ଟ ହୋଇଯିବ।

ହେଲେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦୃଢୋକ୍ତିରୁ ବାରି ହୋଇ ପଡ଼ୁଛି ଯେ, ନିର୍ବାଚନ ପରିଚଳନାରେ ବିଜେଡ଼ି ନେତା, ମନ୍ତ୍ରୀ ଭଲ ଫିଲ୍ଡ ୱାର୍କ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଏକ ତରଫା ବିଜେଡ଼ି ବିଜୟ ହେବା ନେଇ ମନ୍ତ୍ରୀ କେମିତି ଆକଳନ କଲେ? ଭୋଟରେ କିଛି କାରସାଦି ହୋଇଛି କି? ଇଭିଏମ୍ ରେ କିଛି କୌଶଳ ପ୍ରୟୋଗ କରାଯାଇଛି କି? ଯାହା ଫଳରେ ଅଧିକ ଭୋଟ ବିଜେଡ଼ି ସପକ୍ଷରେ ଯାଇଥିବା ନେଇ ମନ୍ତ୍ରୀ ସୁଶାନ୍ତ ଦୃଢତାର ସହ ମିଡ଼ିଆ ଆଗରେ ମନ୍ତବ୍ୟ ଦେଇଛନ୍ତି। ନତୁବା ଅନ୍ୟ ଏକ କାରଣ ହୋଇପାରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେଡ଼ି ମନଲୋଭା ଅଫର୍ ଭଳି କିଛି କୌଶଳ ଆପଣେଇଛି। ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଅନ୍ଧାରୀ ବିଜେ ବେଶ ସଫଳ ହୋଇଥିବ ନିଶ୍ଚିତ! ଏଭଳି ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିବା ସ୍ବାଭାବିକ।

ସେ କାରଣ ଯାହା ବି ହେଇଥାଉ ଗୋଟିଏ କଥା ସ୍ପଷ୍ଟ ଯେ, ନିର୍ବାଚନ ଜିତିବା ପାଇଁ ବିଜେଡ଼ି ସବୁ ପ୍ରକାର କଳ, ବଳ, କୌଶଳ ପ୍ରୟୋଗ କରିଛି। ତେବେ ଏହି ନିର୍ବାଚନର ଦାୟିତ୍ଵ ସମ୍ପୂର୍ଣ୍ଣ ସୁଶାନ୍ତ ସିଂଙ୍କ ଉପରେ ନ୍ୟସ୍ତ ଥିବା ବେଳେ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଵା ଏହା କିଛି ଆଶ୍ଚର୍ଯ୍ୟ କଥା ନୁହେଁ।

ପାଟକୁରା ନିର୍ବାଚନ ସରିବା ପରେ ପରେ ବିଜେପୁର ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ରଣନୀତି ଆରମ୍ଭ ହୋଇଯାଇଥିଲା। ନିଜ ପ୍ରାର୍ଥୀକୁ ଜିତାଇବା ପାଇଁ କ୍ଷେତ୍ର ପ୍ରସ୍ତୁତି ସହ ଅଞ୍ଚଳର ବିକାଶ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ବରଗଡ଼ ଯାଇ ଜିଲ୍ଲା ସହ ବିଜେପୁର ଅଞ୍ଚଳର ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ଏପରିକି ନିର୍ବାଚନ ତାରିଖ ଘୋଷଣା ନ ହେବା ପୂର୍ବରୁ ବିଜେଡ଼ି ପକ୍ଷରୁ କ୍ଷେତ୍ର ସଜଡ଼ା ଯାଇଥିଲା। ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନିର୍ବାଚନର ପୁରା ଦାୟିତ୍ଵ ଦିଆଯାଇଥିଲା। ତାସହ ଦଳର ଅନେକ ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଠ ନେତା, କର୍ମୀ ସେଠାରେ ମାସାଧିକ କାଳ ଡେରା ପକାଇଥିଲେ। ନେତାଙ୍କୁ ପଞ୍ଚାୟତ ୱାରୀ ଦାୟିତ୍ଵ ଦେଇ ଭୋଟରଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ନିର୍ବାଚନରେ ଯେମିତି କିଛି ଗଡ଼ଗଡ଼ ନ ହେବ ସେଥିଲାଗି ଅସନ୍ତୁଷ୍ଟ ନେତାଙ୍କୁ ମନା ଯାଇଥିଲା। ଆଶାୟୀ ପ୍ରାର୍ଥୀ ସୁବାସ ଚୌହାନ, ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ନିଗମର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିବା ଦ୍ୱାରା ରୀତା ସାହୁଙ୍କ ଲାଗି ପଥ ପରିଷ୍କାର ହୋଇଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ପୂର୍ବତନ ସାଂସଦ ପ୍ରଭାସ ସିଂହ ପ୍ରାର୍ଥୀ ହେବାକୁ ମନ ବୋଲାଇଥିଲେ। ଲୋକପ୍ରିୟତା ହ୍ରାସ ଯୋଗୁଁ ପ୍ରଭାସଙ୍କୁ ଗତ ନିର୍ବାଚନରେ ଟିକେଟ ଦିଆ ଯାଇନଥିଲା। ସେ କାରଣରୁ ପ୍ରଭାସଙ୍କୁ ବିଜେପୁରରେ ଟିକେଟ ଦେଲେ ବିଜେଡ଼ି ଭଲ ଫଳାଫଳ ପାଇବା ଆଶା କ୍ଷୀଣ ଦେଖା ଯାଉଥିଲା। ତେଣୁ ତାଙ୍କୁ ଟିକେଟ ନ ଦେଇ ରୀତା ସାହୁଙ୍କୁ ପୁନର୍ବାର ମଇଦାନକୁ ଓହ୍ଲାଇଥିଲା ବିଜେଡ଼ି।

ରୀତାଙ୍କ ପାଇଁ ପଶ୍ଚିମାଞ୍ଚଳର ତୁଙ୍ଗ ନେତାମାନେ ସହ ରାଜ୍ୟସ୍ତରୀୟ ନେତା ପ୍ରଚାର କରିଥିଲେ। ମାଳ ମାଳ ମନ୍ତ୍ରୀ, ନେତା, କର୍ମୀ ସେଠାରେ ଆଡ୍ଡା ଜମାଇ ଘାଟ ଜଗିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ ଧରି ବିଜେପୁରର ବିଭିନ୍ନ ଜାଗାରେ ମାରାଥନ୍ ରୋଡ ସୋ କରିଥିଲେ। ହେଲେ ବିଜେଡ଼ି ଭଳି ବିଜେପି ଓ କଂଗ୍ରେସ ଦଳ ସେମିତି ପ୍ରଚାର କରିନଥିବା ଦେଖିବାକୁ ମିଳିଥିଲା। ନିର୍ବାଚନ ଜିତିବା ପାଇଁ ନୁହେଁ, ବରଂ କେବଳ ଲୋକଦେଖାଣିଆ ପାଇଁ ବିଜେପି ଓ କଂଗ୍ରେସ ଦଳ ପ୍ରଚାର ଚଳାଇଥିଲେ। ବିଜେପୁରରେ କଂଗ୍ରେସର ଅସ୍ତିତ୍ଵ ନଥିବା ବେଳେ ବିଜେପିର ଅନ୍ତର୍ଦ୍ୱନ୍ଦ ଯୋଗୁଁ ଦଳର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଏଥିରେ ଅସନ୍ତୁଷ୍ଟ ହୋଇ କିଛି ନେତା ବିଜେଡିରେ ଯୋଗ ଦେଇଥିଲେ। ଯେଉଁଥି ପାଇଁ ବିଜେଡ଼ି ଦଳକୁ ବିଜେପୁର ଗଡ଼ ହାତେଇବା ପାଇଁ ବେଶ୍ ସହାୟକ ହୋଇପାରେ!