ନବନୀତା ବ୍ୟୁରୋ। ହରିୟାଣା ଓ ମହାରାଷ୍ଟ୍ର ଦୁଇ ରାଜ୍ୟ ସହ ଓଡ଼ିଶାର ବରଗଡ଼ ଜିଲ୍ଲାର ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର୍ ୨୧ରେ ଭୋଟ ଗ୍ରହଣ ହେବ ଓ ୨୪ ତାରିଖରେ ଭୋଟ ଗଣତି ହେବ। ଏଥିସହ ବିଜେପୁର ନିର୍ବାଚନ ମଣ୍ଡଳୀ ଓ ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ତାରିଖ ଘୋଷଣା ଅନୁସାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁରେନ୍ଦ୍ର କୁମାର।
ଏଥିପାଇଁ ସେପଟେମ୍ବର ୨୩ରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୩୦ରେ ନାମାଙ୍କନ ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ଅକ୍ଟୋବର ୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୩ ତାରିଖ ପ୍ରାର୍ଥପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଏହାସହ ୨୧ରେ ମତଦାନ, ୨୪ରେ ଭୋଟ ଗଣତି ଓ ୨୭ ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ହିଁ ବିଜେପୁର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏଥର ବିଜେପୁର ଉପନିର୍ବାଚନରେ ୨୮୫ଟି ମତଦାନ କେନ୍ଦ୍ରରେ ୨,୩୨,୦୦୫ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧୧୯୯୧୬ ଜଣ ପୁରଷ ଭୋଟର୍ ଓ ୧୧୨୦୭୪ ମହିଳା ଭୋଟର୍ ଅଛନ୍ତି। ତାସହ ୧୫ ଜଣ ତୃତୀୟ ଲିଙ୍ଗ ଭୋଟର୍ ମତଦାନ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।
ଗତ ସାଧରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ଉଭୟ ଆସନରେ ବିଜୟୀ ହୋଇଥିଲେ। ପରେ ନବୀନ ବିଜେପୁର ଆସନ ଛାଡ଼ିବା ପରେ ଏହା ଖାଲି ପଢିଥିଲା।
