ନବନୀତା ବ୍ୟୁରୋ । ୟୁଏଇର ରାଜଧାନୀ ଆବୁଧାବିରେ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର । କାଉନ ପ୍ରିନ୍ସ ମହମ୍ମଦ ବିନ ଜାୟଦ ଅଲ ନାହୟେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଆର୍ଡର ଅପ୍ ଜାୟଦ’ସମ୍ମାନରେ ସମ୍ମାନିତ କରିଛନ୍ତି । ମୋଦି ଦ୍ୱିପାକ୍ଷିକ ଆଲୋଚନା ଲାଗି ଆବୁଧାବୀରେ ଅଛନ୍ତି । ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ-ଫ୍ରାନ୍ସ ଦ୍ୱିପାକ୍ଷିକ ସଂପର୍କ ଆହୁରି ମଜବୁତ ହେବାରେ ଲାଗିଛି ।
ସମ୍ମାନିତ ହେବା ପୂର୍ବରୁ ମୋଦି ୟୁଏଇରେ ରୁପେ କାର୍ଡର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଗସ୍ତ ଅବସରରେ ଏହି କାର୍ଡକୁ ଆରମ୍ଭ କରାଯାଇଛି । ଡିଜିଟାଲ କାରବାର ନେଇ ଭାରତୀୟ ପ୍ରଣାଳୀକୁ ଆପଣାଇବାରେ ୟୁଏଇ ହେଉଛି ପ୍ରଥମ ଦେଶ । ଏଠାରେ ଶହ ଶହ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଭାରତର ରୁପେ କାର୍ଡରେ ଜିନିଷ କିଣା ଯାଇ ପାରିବ । ଏହା ପୂର୍ବରୁ ସିଂଗାପୁର ଓ ଭୁଟାନରେ ମଧ୍ୟ ରୁପେ କାର୍ଡ ପ୍ରଚଳନ ଆରମ୍ଭ ହୋଇ ସାରିଛି । ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଏନେଇ ଟ୍ୱିଟ କରି କହିଛନ୍ତି, ଭାରତ ଓ ୟୁଏଇର ଅର୍ଥବ୍ୟବସ୍ଥା ଆହୁରି ନିକଟତର ହୋଇ ପାରିବ । ୟୁଏଇ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରୁପେ କାର୍ଡ ଆରମ୍ଭ ହୋଇଛି । ୟୁଏଇର ଅନେକ କଂପାନୀ ଏହି ରୁପେ କାର୍ଡକୁ ଆପଣେଇବାକୁ ସ୍ୱୀକାର କରିଛନ୍ତି ।
ୟୁଏଇରେ ଅବସ୍ଥାପିତ ଭାରତୀୟ ରାଜଦୁତ ନବଦୀପ ସିଂହ ସୁରୀ କହିଛନ୍ତି, ଏ କ୍ଷେତ୍ରରେ ୟୁଏଇ ସବୁଠୁ ବଡ ଓ ଆକର୍ଷଣୀୟ ବ୍ୟବସାୟିକ କେନ୍ଦ୍ର । ଏଠାକୁ ସବୁଠୁ ଅଧିକ ସଂଖ୍ୟକ ଭାରତୀୟ ପର୍ଯ୍ୟଟକ ଆସିବା ସହ ଅଧିକ ବ୍ୟାପାର ଭାରତ ସହ ହୋଇଥାଏ । ଗତ ୨୦୧୮ରେ ଉଭୟ ଦେଶ ମଧ୍ୟରେ ୬୦ ଡଲାରର ଦ୍ୱିପାକ୍ଷିକ ବ୍ୟବସାୟ ହୋଇଛି । ମୋଦି ଫ୍ରାନ୍ସି, ୟୁଏଇ ଓ ବହରୀନ ତିନି ଦେଶ ଗସ୍ତ ଅବସରରେ ଶୁକ୍ରବାର ୟୁଏଇରେ ପହଂଚିଥିଲେ ।
