ଅଲବିଦା ଅରୁଣ: ୬୬ ବର୍ଷ ବୟସରେ ଦିଲ୍ଲୀ ଏମସରେ ନିଧନ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ । ଆରପାରିରେ ଅରୁଣ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ହୋଇଛି । ୬୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଶନିବାର ଦ୍ୱିପହର ୧୨.୭ଟା ମିନିଟରେ ଦିଲ୍ଲୀ ଏମସରେ ତାଙ୍କର ଦେହାନ୍ତ ହୋଇଛି । ମୋଦି ସରକାରର ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ପଦ ସଫଳତାର ସହ ତୁଳାଇଥିବା ଜେଟଲୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ୨୦୧୯ ଲୋକସଭା ନିର୍ବାଚନ ଲଢ଼ିନଥିଲେ । ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଲାଗି ଗତ ୯ ତାରିଖରୁ ଏମସରେ ଭର୍ତ୍ତି ହୋଇଥିଲେ ଅରୁଣ । ହେଲେ ଅଗଷ୍ଟ ୧୦ ତାରିଖ ପରେ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମସ ପକ୍ଷରୁ କୌଣସି ବୁଲେଟିନ ଜାରି ହୋଇନଥିଲା । ତେବେ ଶନିବାର ତାଙ୍କର ପରଲୋକ ହୋଇଛି । ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।


ଅରୁଣ ଜେଟଲୀ ବିଜେପି ବରିଷ୍ଠ ନେତାଙ୍କ ମଧ୍ୟରେ ଜଣେ ଆଗଧାଡ଼ିର ନେତା ଥିଲେ । ପ୍ରଧାନମନ୍ତ୍ରୀଙ୍କ ପରେ ତାଙ୍କୁ ଦୁଇ ନମ୍ବର ନେତା ଭାବେ ଗଣାଯାଉଥିଲା । ତାଙ୍କ ମନ୍ତ୍ରୀ ସମୟରେ ସାଧାରଣ ବଜେଟ ଓ ରେଳ ବଜେଟକୁ ଏକା ସାଂଗରେ ଉପସ୍ଥାପନ କରିବା ବ୍ୟବସ୍ଥା ଲାଗୁ କରାଯାଇଥିଲା । କେବଳ ଏତିକି ନୁହେଁ, ଜିଏସଟିକୁ ପୁରା ଦେଶରେ ଲାଗୁ କରିବା ପାଇଁର ତାଙ୍କର ବିଶେଷ ଭୂମିକା ରହିଥିଲା । ୧୯୫୨ ଡିସେମ୍ବର ୨୮ ତାରିଖରେ ଦିଲ୍ଲୀରେ କିଶନ ଜେଟଲୀ ଓ ରତନ ପ୍ରଭାଙ୍କ ଔରସରୁ ଜନ୍ମ ହୋଇଥିଲେ ଅରୁଣ ଜେଟଲୀ । ଦିଲ୍ଲୀ ସେଂଟ ଜାଭିୟର୍ସ ସ୍କୁଲରେ ପାଠ ପଢ଼ା ପରେ ୧୯୭୩ ମସିହାରେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କର୍ମସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ୧୯୭୭ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଇନ୍ ଡ୍ରିଗୀ ହାସଲ କରିଥିଲେ । ପାଠପଢ଼ା ସମୟରେ ୧୯୭୪ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନର ସଭାପତି ମଧ୍ୟ ହୋଇଥିଲେ । ୧୯୮୨ ମଇ ୨୪ ତାରିଖରେ ସଂଗୀତା ଜେଟଲୀଙ୍କ ହାତ ଧରିଥିଲେ ଅରୁଣ । ତାଙ୍କର ଗୋଟିଏ ପୁଅ ରୋହନ ଓ ଗୋଟିଏ ଝିଅ ସୋନାଲି ଅଛନ୍ତି ।
ଜେଟଲୀଙ୍କ ରାଜନୀତି କ୍ୟାରିୟର
୧୯୭୭ ମସିହାରେ ଅରୁଣ ଜନସଂଘରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ଏଥିସହ ସେ ଉଚ୍ଚତମ ନ୍ୟାୟଳୟରେ ମଧ୍ୟ ଓକିଲାତି କରୁଥିଲେ । ତେବେ ୧୯୮୯ ମସିହାରେ ଜେଟଲୀଙ୍କୁ ବିଶ୍ୱନାଥ ପ୍ରତାପ ସିଂ ସରକାର ଦ୍ୱାରା ଅତିରିକ୍ତ ମହାଧିବକ୍ତା ନିଯୁକ୍ତ କରାଯାଇଥିଲା । ପରେ ୧୯୯୧ରେ ଭାରତୀୟ ଜନତା ପାଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିବା ଜେଟଲୀଙ୍କୁ ୧୯୯୯ରେ ଦଳର ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଥିଲା । ଏଥିସହ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ଜେଟଲୀ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ହେଲେ ରାମ ଜେଠମଳାନିଙ୍କ ଇସ୍ତଫା ପରେ ୨୦୦୦ ଜୁଲାଇ ୨୩ ତାରିଖରେ ତାଙ୍କୁ ଆଇନ୍, ନ୍ୟାୟ ଓ କଂପାନୀ ମାମଲାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଗତ ୨୦୧୪ ସାଧାରଣ ନିର୍ବାଚନରେ ଅମୃତସର ଲୋକସଭା ଆସନରୁ ନିର୍ବାଚନ ଲଢ଼ି କଂଗ୍ରେସର ଅମରିନ୍ଦର ସିଂଙ୍କଠାରୁ ପରାସ୍ତ ହୋଇଥିଲେ ।


କୌଣସି ଲୋକସଭା ନିର୍ବାଚନ ଜିତିନଥିଲେ ଜେଟଲୀ
ଅରୁଣ ଜେଟଲୀ ଏଭଳି ଏକ ନେତା ଥିଲେ ଯିଏ କି କୌଣସି ଲୋକସଭା ନିର୍ବାଚନରେ ବିଜୟର ସ୍ୱାଦ ଚାଖିନଥିଲେ । ତା ପରେ ବି ତାଙ୍କୁ ରାଜନୀତିର ପୁରୋଧା ମନାଯାଉଛି । ତେବେ ମୁସ୍କିଲ ସମୟରେ ଜେଟଲୀ ଦଳର କର୍ଣ୍ଣଧାର ରହି ଆସିଛନ୍ତି । ସଂସଦ ଭିତରେ ମୁସ୍କିଲ ହେଉ କି କୋର୍ଟ ସବୁ ଜାଗାରେ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି ଅରୁଣ । ବିଜେପି ବରିଷ୍ଠ ନେତା ସହ ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ବି ଥିଲେ । ଅରୁଣ ଜେଟଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ନିକଟତର ଥିଲେ । ଏହା ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡ଼ଭାଣୀଙ୍କ ଯୋଡ଼ିର ମଧ୍ୟ ପସନ୍ଦର ରାଜନେତାରେ ସାମିଲ ଥିଲେ । ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିିତିରେ ଇନ୍ଦିରା ଗାନ୍ଧି ସରକାର ବିରୋଧରେ ହୋଇଥିବା ଆନ୍ଦୋଳନରେ ସକ୍ରିୟ ରୂପରେ ସାମିଲ ହୋଇଥିଲେ ଜେଟଲୀ । ସେ ସମୟରେ ଯୁବା ମୋର୍ଚ୍ଚାର ସଂଯୋଜକ ଥିଲେ ଅରୁଣ । ଏଥିପାଇଁ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା । ପ୍ରଥମେ ଅମ୍ବାଲା ଓ ପରେ ତିହାଡ଼ ଜେଲରେ ରଖାଯାଇଥିଲା ।