ନବନୀତା, ଭୁବନେଶ୍ୱର: ତାଳଚେର ଭତରପୁର କୋଇଲା ଦୁର୍ଘଟଣା ଖଣି ପରିଦର୍ଶନ କଲେ ଏମସିଏଲ ସିଏମଡି ଭୋଳାନାଥ ଶୁକ୍ଲା । ଭରତପୁର ଓ ଜଗନା୍ନଥ ଖଣି କ୍ଷେତ୍ରର କର୍ତ୍ତୃପକ୍ଷଙ୍କ ସହ ଘଟଣାସ୍ଥଳକୁ ଯାଇ ଶୁକ୍ଲା ଘଟଣାର ଅନୁଧ୍ୟାନ କରିଛନ୍ତି । ଏହା ପରେ ଭରତପୁର ଅତିଥି ଭବନଠାରେ ଆୟୋଜିତ ବୈଠକରେ ଏମସିଏଲ କର୍ତ୍ତୃପକ୍ଷ ଏବଂ ବିଭିନ୍ନ ଶ୍ରମିକ ସଂଗଠନର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ । ତେବେ ଡିଜିଏମଏସ ବିଭାଗ ଏବଂ କୋଲ ଇଣ୍ଡିଆ ପକ୍ଷରୁ ଘଟଣାର ତଦନ୍ତ କରାଯିବା ନେଇ ସିଏମଡି କହିଥିଲେ । ଏଥିସହ ଦୁର୍ଘଟଣା ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବାକୁ କହିଛନ୍ତି ସିଏମଡି । ଅନ୍ୟପଟେ ନିଖୋଜ ଆଉ ଜଣଙ୍କ ସଂପର୍କରେ କିଛି ଖୋଜ ଖବର ମିଳିନି । ଏଥିପାଇଁ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ।

ଅନ୍ୟପଟେ ଭରତପୁର କୋଇଲା ଖଣିରେ ଦୁର୍ଘଟଣା ନେଇ ବିଜେପି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଖଣି ଶ୍ରମିକଙ୍କଜୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ଦାବିରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣି ଆଗରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି । ଫଳରେ ଖଣିରୁ କୋଇଲା ଉତ୍ତୋଳନ ଓ ପରିଚାଳନା ବନ୍ଦ ହୋଇଯାଇଛି । ସେପଟେ ଖଣିରେ ନିଖୋଜଙ୍କ ମଧ୍ୟରୁ ଏଯାଏ ୩ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ନିଖୋଜ ଥିବା ଅନ୍ୟ ଜଣଙ୍କୁ ଉଦ୍ଧାର ଲାଗି କାମ ତ୍ୱାରାନିତ୍ୱ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଏଥିସହ ଶ୍ରମିକଙ୍କ ପରିବାରକୁ କ୍ଷତିପୁରଣ ସହ ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ଦାବି କରାଯାଇଛି । ଅନ୍ୟପଟେ ସଂପୃକ୍ତ ଠିକା ସଂସ୍ଥା ସହ ଏମସିଏଲର ଖାମଖିଆଲି ନୀତି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଦଳ ଅଭିଯୋଗ କରିଛି । ତେଣୁ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ସେପଟେ ଦୀର୍ଘ ଦିନ ହେଲା ଖଣି ବନ୍ଦ ରହିଥିବାରୁ କୋଇଲା ଉତ୍ପାଦନରେ ବ୍ୟାଘାତ ହୋଇଛି । ଖଣି ଆଗରେ ଆନ୍ଦୋଳନ ଚାଲି ଥିବାରୁ କୋଇଲା ପ୍ଲାଂଟକୁ ଇନ୍ଧନ ଯୋଗା ଯାଇ ପାରୁନି । ବର୍ଷା ଦିନରେ ତାଳଚେର କୋଇଲା ଖଣିରୁ ପ୍ରତିଦିନ ପାଖାପାଖି ୨.୧ ଲକ୍ଷ କୋଇଲା ଉତ୍ପାଦନ କରାଯାଇଥାଏ । ହେଲେ ଭରତପୁର ଦୁର୍ଘଟଣା ପରେ କୋଇଲା ଉତ୍ପାଦନ ଏକ ପ୍ରକାର ଠପ୍ ହୋଇଯାଇଛି । କାରଣ ଜୋରଜବରଦସ୍ତ କୋଇଲା ଖଣି ବନ୍ଦ କରାଯାଇଥିବାରୁ ନା କୋଇଲା ଉତ୍ପାଦନ କରି ହେଉଛି ନା କୋଇଲା ଅନ୍ୟତ୍ର ପଠାଯାଇପାରୁଛି ।
ଗତ ୫ ଦିନ ହେଲା ପରିଚାଳନାରେ ବ୍ୟାଘାତ ଯୋଗୁଁ ବହୁ ମାତ୍ରାରେ କଂପାନୀ କ୍ଷତି ସହିଛି । ଏପରିକି ରାଜ୍ୟରେ ପାଖାପାଖି ୮୫.୬୮ କୋଟି କ୍ଷତି ହୋଇଥିବା ବେଳେ କେନ୍ଦ୍ରୀୟ ରାଜକୋଷରେ ପ୍ରାୟ ୫୫.୪୬ କୋଟି କ୍ଷତି ହୋଇଥିବା ଏମସିଏଲ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ତାଳଚେରରେ ବିଦ୍ୟୁତ ଉତ୍ପାଦନରେ ପ୍ରାୟ ୧୩୩୯.୪୧ ମିଲିୟନ ୟୁନିଟ୍ କ୍ଷତି ହୋଇଛି । ଅନ୍ୟପଟେ ତାଳଚେରରୁ କୋଇଲା ପଠାଯାଇପାରୁନଥିବାରୁ କଣିହାଁ ଏନଟିପିସିର ଦୁଇଟି ୟୁନିଟ୍ ବନ୍ଦ ହୋଇଗଲାଣି । ସେହିପରି ନାଲକୋ ପ୍ଲାଂଟରେ ମଧ୍ୟ ଇନ୍ଧନ ସମସ୍ୟା ଦେଖା ଦେଇଥିବା ଜଣାପଡ଼ିଛି । ତେଣୁ ଇବ୍ ଭ୍ୟାଲିରୁ ଦୁଇଟି କୋଇଲା ରେକ୍ କଣିହାଁ ଏନଟିପିସିକୁ ପଠାଯାଇଥିବା ବେଳେ ଗୋଟିଏ ରେକ କୋଇଲା ନାଲକୋକୁ ପଠାଯାଇଛି ।
