ନବନୀତା, ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ତାଳଚେର ଏମସିଏଲ ଭରତପୁର ଖୋଲାମୁହଁ କୋଇଲା ଖଣିରେ ମାଟି ଅତଡ଼ା ଖସିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଭରତପୁର ଖୋଲାମୁହଁ ଖଣି ପରିଚାଳକ ତଥା ବରିଷ୍ଠ ପ୍ରବନ୍ଧକ(ଖନନ) ଭିକେ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏମସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ତାଙ୍କୁ କାର୍ଯ୍ୟରୁ ସସପେଣ୍ଡ କରିଛନ୍ତି । ଏହା ଶନିବାରଠାରୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ଗତ ମଂଗଲବାର ଭତରପୁର ଖୋଲାମୁହଁ ଖଣିରେ ମାଟି ଅତଡ଼ା ଧସି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ପରେ ମାଟି ତଳେ ଫସି ରହିଥିବା ୯ କର୍ମଚାରୀଙ୍କୁ ତୁରନ୍ତ ଉଦ୍ଧାର କରି ତାଳଚେର କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ହେଲେ ତା ପରଦିନ ନିଖୋଜ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟ ଜଣଙ୍କୁ ଏଯାଏ ଉଦ୍ଧାର କରାଯାଇ ପାରିନି । ଶନିବାର ଚତୁର୍ଥ ଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତାଳଚେର ଖଣିର ମହାପ୍ରବନ୍ଧକ, ଜିଲ୍ଲା ପ୍ରଶାସନ, ଏନଡିଆରଏଫ୍ ଟିମର ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଏବଂ ଏମସିଏଲର ନିର୍ଦ୍ଦେଶକ ତଦାରଖରେ ଏହି ଉଦ୍ଧାର କାର୍ଯ୍ୟକୁ ଜାରି ରହିଥିବା ଏମସିଏଲର ଜନ ସଂପର୍କ ଅଧିକାରୀ ସୂୂଚନା ଦେଇଛନ୍ତି ।
ଅନ୍ୟପଟେ ଦୁର୍ଘଟଣାର ୪ ଦିନ ପରେ ମଧ୍ୟ ନିଖୋଜ କର୍ମଚାରୀ ଜଣଙ୍କ ପତ୍ତା ମିଳିନି । ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ରମେଶ ଦାଶଙ୍କ ଏଯାଏ କୌଣସି ଖୋଜ ଖବର ମିଳିନଥିବା ଜଣା ପଡିଛି । ତାଙ୍କ ଘର ତାଳଚେରର ନକେଇପାଣି ବୋଲି ସୂଚନା ମିଳିଛି । ତେବେ ଦୀର୍ଘ ୪ ଦିନ ଧରି ସର୍ଚ୍ଚ ଅପରେସନ ଚାଲିଥିଲେ ମଧ୍ୟ ଏଯାଏ ଜଣକ ପତ୍ତା ନ ମିଳିଥିବାରୁ ଏମସିଏଲର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠୁଛି । ତେବେ କଟା ହାତ ଓ ଖଣ୍ଡବିଖଣ୍ଡିତ ଗଳିତ ଶବ ମିଳିଥିଲେ ବି ତାହା କାହାର ତାହା ସ୍ପଷ୍ଟ ହୋଇନି । ଏଯାଏ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି । ମୃତକମାନେ ହେଲେ ପପୁନ ବିଶ୍ୱାଲ, ରଶ୍ମିରଂଜନ ବେହେରା ଓ ରାଜ କିଶୋର ମହାପାତ୍ର । ପୋଷ୍ଟମର୍ଟମ ଲାଗି ମୃତଦେହକୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି ।
ସେପଟେ ଶୁକ୍ରବାର ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ଏମସିଏଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏ ସମୟରେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ଉପସ୍ଥିିତ ଥିଲେ । ତେବେ ନିଖୋଜ କର୍ମଚାରୀକୁ ଉଦ୍ଧାର ଲାଗି ଏନଡିଆରଏଫ୍ ଓ ଏମସିଏଲ୍ ପକ୍ଷରୁ ଉଦ୍ୟମ ଜାରି ରହିଛି । ମଂଗଲବାର ରାତିରେ ତାଳଚେର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଖସି ଅନେକ ଶ୍ରମିକ ଚାପି ହୋଇଥିଲେ । ଘଟଣାରେ ୪ ଜଣ ନିଖୋଜ ହୋଇଯାଇଥିବା ବେଳେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।
ଭରତପୁର କୋଇଲା ଖଣିରେ ଅଘଟଣ ଘଟଣା, ଓସିପିଙ୍କୁ ସସପେଣ୍ଡ କଲେ ସିଏମଡି
