ଭୁବନେଶ୍ୱର: ସ୍କୁଲ ପରିସରରେ ବିସ୍ଫୋରଣ । ଗଂଜାମ ଜିଲ୍ଲା ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍କୁଲରେ ବିସ୍ଫୋରଣ ଘଟି ଦୁଇ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ମୁହଁ ଓ ହାତରେ ଆଘାତ ଲାଗିଥିବା ଜଣା ପଡ଼ିଛି । ଆହତମାନେ ହେଲେ ସପ୍ତମ ଶ୍ରେଣୀର ରାଜା ନାୟକ ଓ ଅଷ୍ଟମ ଶ୍ରେଣୀର ଚନ୍ଦନ ସ୍ୱାଇଁ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଘଟଣା ଅନୁସାରେ, ଶନିବାର ସକାଳୁଆ ସ୍କୁଲ ଚାଲିଥିଲା । ହେଲେ ସ୍କୁଲ ପରିସରରେ ତାବିଜ୍ ଭଳି ଏକ ଜିନିଷ ପଡିଥିବା ଦେଖିଥିଲେ ଜଣେ ଛାତ୍ର । ସେ ତାକୁ ଦେଖି ସାରିବା ପରେ ଫିଙ୍ଗି ଦେଇଥିଲେ । ହେଲେ ଦୁଭାର୍ଗ୍ୟବଶତଃ ତାବିଜ ଫିଙ୍ଗିବା ସମୟରେ ଏକା ବିସ୍ଫୋରଣ ଘଟିଥିଲା । ଏଥିରେ ରାଜା ଓ ଚନ୍ଦନ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି । ପ୍ରଥମେ ଉଭୟଙ୍କୁ ଆସିକା ମେଡ଼ିକାଲରେ ଭର୍ତି କରାଯାଇଥିଲା । ହେଲେ ଅବସ୍ଥା ଆହୁରି ବିଗଡିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଳକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହେଲେ ଏଠି ପ୍ରଶ୍ନ ଉଠୁଛି ତାଜିବ ସ୍କୁଲ ପରିସକୁ ଆସିଲା କେମିତି? କିଭଳି କେଉଁ ଉର୍ଦ୍ଦେଶ୍ୟରେ କିଏ ଏଠାରେ ତାବିଜ ଆଣି ପକାଇଲା ସେନେଇ ତଦନ୍ତ ହେବା ନିହାତି ଜରୁରୀ ।
