ଭୁଶୁଡ଼ିଲା ମୃତ୍ୟୁର କୋଠା, ଶହେ ବର୍ଷର ପୁରୁଣା ଘର ପଡ଼ି ୧୨ ଜଣଙ୍କ ମୃତ୍ୟୁ, , ମୁମ୍ବାଇ ଡୋଙ୍ଗରି ଅଂଚଳରେ ଛାତିଥରା ଘଟଣା

ଦେଶ ଓ ବିଦେଶବଡ଼ ଖବର

ବନୀତା ବ୍ୟୁରୋ, ଭୁବନେଶ୍ୱର/ଦିଲ୍ଲୀ: ମୁମ୍ବାଇରେ ପୁଣି ଭୁଶୁଡ଼ିଲା କୋଠା । ୪ ମହଲା ବିଶିଷ୍ଟ ଶହେ ବର୍ଷର ପୁରୁଣା କୋଠା ଭୁଶୁଡ଼ି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଘଟଣାରେ ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଂକା କରାଯାଉଛି । ଘରର ଭଗ୍ନାବଶେଷ ମଧ୍ୟରୁ ଜଣେ ଶିଶୁ ସମେତ ୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଡୋଙ୍ଗରୀ ଅଂଚଳରେ ଏକ ୪ ମହଲା କୋଠାର ଏକ ଅଂଶ ଭୁଶୁଡ଼ି ପଡିବାରୁ ଏହିଭଳି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ଏନଡିଆରଏଫ୍ ଓ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ହେଲେ ସଂକୁଚିତ ଗଳି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଦେଖା ଦେଇଥିବା ଜଣା ପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କୋଠାଟି ଶହେ ବର୍ଷର ପୁରୁଣା ହୋଇଥିଲେ ମଧ୍ୟ ସେମିତି ଅବସ୍ଥା ଅବସ୍ଥା ଖରାପ ନଥିଲା । ତେବେ ବିଏମସି ତାଲିକାରେ ଏହି କୋଠାର ନା ସାମିଲ ନଥିବା ଜଣାପଡ଼ିଛି । ବିଏମସିର ସୂଚନା ଅନୁସାରେ, ସକାଳ ୧୧ଟା. ୪୮ ମିନିଟରେ ଡୋଙ୍ଗରୀ ଅଂଚଳରେ ଏକ କୋଠାର ଅଧା ଭାଗ ଭୁଶୁଡ଼ି ପଡିଥିଲା । କେଶରବାଇ ନାଁରେ ଥିବା ଏହି କୋଠାଟି ବହୁ ପୁରୁଣା ବୋଲି କୁହାଯାଉଛି ।
ଗୃହ ନିର୍ମାଣ ମନ୍ତ୍ରୀ ରାଧାକୃଷ୍ଣ ବିଖେ ପାଟିଲଙ୍କ କହିଛନ୍ତି, ଘଟଣାରେ ଏଯାଏ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ବହୁ ସ୍ଥାନୀୟ ଲୋକ ସାମିଲ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ, କୋଠା ଭୁଶୁଡ଼ିବା ଘଟଣାରେ ଏ ପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏବଂ ୫ ଜଣ ଆହତ ହୋଇଥିବା ଜଣା ପଡ଼ିଛି । ଭାଂଗି ଥିବା କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଂକା କରାଯାଉଛି ।
ଘଟଣା ସଂପର୍କରେ ସୂଚନା ମିଳିଥିବା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାଭୀସ । ଏଥିରେ ପ୍ରାୟ ୧୫ ପରିବାର ଫସି ରହିଥିବା ଆଶଂକା କରାଯାଉଛି । ଭଂଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ନେଇ ବିଶେଷ ଧ୍ୟାନ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଏହି ଘଟଣାର ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି ।
କିଛି ଦିନ ହେଲା ମୁମ୍ବାଇ ଓ ଆଖପାଖ ଅଂଚଳରେ ବର୍ଷା ଲାଗି ରହିଛି । ହେଲେ ଅଧିକ ବର୍ଷା ହେବା ଦ୍ୱାରା ଲୋକଙ୍କ ଜୀବନ ହାନି ହେଉଛି । ଏପରିକି ପୁଣେ ଓ ମୁମ୍ବାଇ ଅଂଚଳରେ ବର୍ଷା ଲାଗି ପାଖାପାଖି ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।