ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ନିଯୁକ୍ତ

ଓଡ଼ିଶାବଡ଼ ଖବରରାଜନୀତି

ବନୀତା ବ୍ୟୁରୋ, ଭୁବନେଶ୍ୱର/ଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ ନିଯୁକ୍ତ । ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଗଳବାର ତାଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ।


୮୪ ବର୍ଷୀୟ ନେତା ବିଶ୍ୱଭୂଷଣ ଚିଲିକାରୁ ୨ ଥର ଓ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଓକିଲରୁ ରାଜନୀତିକୁ ପ୍ରବେଶ କରିଥିବା ବିଶ୍ୱଭୂଷଣ ୨୦୦୪ ବିଜେଡି- ବିଜେପି ମେଂଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।
୧୯୭୧ ମସିହାରେ ସେ ଭାରତୀୟ ଜନ ସଂଘରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୭ ମସିହା ପର୍ଯ୍ୟନ୍ତ ଜନତା ପାର୍ଟି ଗଠନ ହେବା ଯାଏ ସେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଓ ରାଜ୍ୟ ସାଧାରଣ ସଂପାଦକ ପଦବୀରେ ଥିଲେ । ପରେ ବିଜେପିରେ ସାମିଲ ହୋଇଥିଲେ । ଏବଂ ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ପଦବୀରେ ମଧ୍ୟ ରହିଥିଲେ । ୧୯୮୮ରେ ପୁଣି ଜନତା ପାର୍ଟିକୁ ଫେରି ରାଜ୍ୟ ଉପସଭାପତି ହୋଇଥିଲେ । ଏହାପରେ ଏପ୍ରିଲ ୪ ତାରିଖ ୧୯୯୬ ମସିହାରେ ସେ ପୁଣି ବିଜେପିକୁ ଫେରିଥିଲେ ।
କେବଳ ରାଜନୀତି ନୁହେଁ, ସାମାଜିକ ଓ ସାହିତ୍ୟ, ସଂସ୍କୃତି ସହ ମଧ୍ୟ ବେଶ ଜଡ଼ିତ । ସେ ଅନେକ କାଳଜୟୀ ପୁସ୍ତକ ରଚନା କରି ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କ ରଚିତ ବହି ଗୁଡ଼ିକ ହେଲା- ମରୁ ବତାଶ, ରାଣା ପ୍ରତାପ, ଶେଷ ଝଲକ, ଅଷ୍ଟ ଶିଖା ଓ ମାନସୀ ।
ସେହିପରି ସୁଶ୍ରୀ ଅନୁସୂଇୟା ଉଇକେଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଉଭୟଙ୍କୁ ଦିଆଯାଇଥିବା ନୂତନ ପଦବୀ ସଫଳତାର ସହ ସମ୍ପାଦନ କରନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ନବନୀତା ପରିବାର ପକ୍ଷରୁ ଏତିକି କାମନା କରୁଛୁ।