ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଜିଲ୍ଲାରେ ଥମୁନି ବେଆଇନ ଦାଦନ ଚାଲାଣ I ବଙ୍ଗୋମୁଣ୍ଡା ପୋଲିସ ଦ୍ୱାରା ୨୫ ଦାଦନ ଶ୍ରମିକ ଉଦ୍ଧାର। ଉଦ୍ଧାର ଶ୍ରମିକମାନେ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି। ହେଲେ ସେମାନଙ୍କୁ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ବେଳେ ବଙ୍ଗୋମୁଣ୍ଡା ଗୋଲେଇ ଛକ ନିକଟରୁ ଉଦ୍ଧାର କରିଛି ପୋଲିସ। ୩ଟି ଚାରି ଚକିଆ ଗାଡି ସହ ଦାଦନ ସର୍ଦାରକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା ଚାଲିଛି ।
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରମିକମାନେ ୩ଟି ଚାରି ଚକିଆ ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଯାଇ ରାଜ୍ୟ ବାହାରକୁ ଯାଇଥାନ୍ତେ। ହେଲେ କୌଣସି ସୂତ୍ରରୁ ଖବର ପାଇ ଗୋଲେଇ ଛକରେ ଗାଡି ଅଟକାଇ ଯାଞ୍ଚ ବେଳେ ଗାଡ଼ିରେ ଦାଦନ ଶ୍ରମିକ ଥିବା ଜଣା ପଡିଥିଲା I ଗାଡିରୁ ମୋଟ 25 ଦାଦନ ଶ୍ରମିକ ଉଦ୍ଧାର କରାଯାଇଥିଲା I ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବାରୁ ପୋଲିସ ସମସ୍ତଙ୍କୁ ଥାନାକୁ ନେଇ ଯାଇଥିଲା I ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୮ ପୁରୁଷ, ୧୧ ମହିଳା ଓ ୬ ଶିଶୁ ଥିବା ଜଣାପଡ଼ିଛି । ଗାଡି ସହ ସର୍ଦାରକୁ ଅଟକ ରଖାଯାଇଥିବା ବେଳେ କାଗଜପତ୍ର ଯାଞ୍ଚ ପରେ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠେଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
