ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଆହୁରି ୧୦୦୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୂତଳ ପାଇପ ଦ୍ଵାରା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୯୯୮ କୋଟି ଟଙ୍କା ଦେଇଛନ୍ତି ନବୀନ ପଟ୍ଟନାୟକ। ତାସହ ପ୍ରକଳ୍ପର ପାଞ୍ଚ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୮ କୋଟି ୯୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏନେଇ ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ।ଜିଲ୍ଲାରେ ଜଳ ସେଚନ ପାଇଁ ସରକାର ବଡ଼ ପଦକ୍ଷେପ ନେଇ ଥିବା ବେଳେ ଜିଲ୍ଲା ପାଇଁ ସ୍ବତନ୍ତ୍ର ରୋଡ ମେପ ପ୍ରସ୍ତୁତ କରିଥିବା କହିଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ।
ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ମେଗା ଜଳସେଚନ ପ୍ରକଳ୍ପ ପାଇଁ ଏକ ହଜାର ସାତ କୋଟି ଟଙ୍କା ମଞ୍ଜୁର କରିଛନ୍ତି ସରକାର। ଏପରିକି ବିନା ବିସ୍ଥାପନରେ ପାଇପ ଯୋଗେ ଭୂତଳ ଜଳସେଚନ ବ୍ୟବସ୍ଥା କରାଯିବା ପାଇଁ ୯୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି କାର୍ଯ୍ୟ ୩୦ ମାସ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ଏଥିସହ ସୁକତେଲ ପ୍ରକଳ୍ପ ଆସନ୍ତା ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ହେଲେ ଏହାଦ୍ବାରା ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୨୭ ହଜାର ହେକ୍ଟର ଜମି ଜଳସେଚିତ ହେବ। ସେହିପରି ୧୭. ୮୯ କ୍ୟୁବିକ ମିଟର ପିଇବା ପାଣି ମଧ୍ୟ ମିଳି ପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହା ବ୍ୟତୀତ ବଲାଙ୍ଗିର ଜିଲ୍ଲାରେ ଥିବା ବିଭିନ୍ନ ନଦୀରେ ଆହୁରି ସାତଟି ବେରେଜ୍ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ଦିଆ ଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଜିଲ୍ଲାରେ ଜଳସେଚନ ସୁବିଧା ବଢିବା ସହ ଜିଲ୍ଲାର ଆର୍ଥିକ ବିକାଶ ମଧ୍ୟ ହେବ ବୋଲି ସେ କହିଛନ୍ତି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।
ସାମ୍ବାଦିକ ସମ୍ମିଳନୀରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବିଧାୟକ ସରୋଜ ମେହେର, ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ହୋତା, ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ବିଜେଡ଼ି ନେତା ଅଜୟ ଦାସ, ଫିରୋଜ ଖାଁ, ଲୋଟସ ଷଡ଼ଙ୍ଗୀ ଆଦି ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।
