ଏନ୍ଏନ୍ ବ୍ୟୁରୋ। ପୁଣି ସଭାପତି ହେଲେ ଉମେଶ। ବଲାଙ୍ଗିର ଜିଲ୍ଲା ପୁଇନ୍ତଳା ବ୍ଲକ୍ ଅନ୍ତର୍ଗତ ବିଲାଇସର୍ଡ଼ା ପ୍ୟାକ୍ସରେ ନିର୍ଦ୍ଵନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଉମେଶ ପ୍ରଧାନ। ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ସଭାପତି ପଦବୀ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ଲୋକାପଡ଼ାର ଉମେଶ। ସମିତିର ମୋଟ ୧୫ଟି ଜୋନ ଡାଇରେକ୍ଟର ମଧ୍ୟରୁ କେହି ନାମାଙ୍କନ ନ ଭରିବାରୁ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।
ବିଲାଇସର୍ଡା ପଞ୍ଚାୟତର ବନ୍ଦନାକଟା, କଶ୍ରୁପାଲି ଓ ଲୋକାପଡା ପଞ୍ଚାୟତର କୁଲଥିପାଲି ସହ ମୋଟ ୫ ଖଣ୍ଡ ଗାଁକୁ ନେଇ ଗଠିତ ବିଲାଇସର୍ଡା ପ୍ରାଥମିକ କୃଷି ସେବା ସମବାୟ ସମିତି। ଗତ ୧୯୯୫ ମସିହାରୁ ସମିତିର ସଭାପତି ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ଉମେଶ। ତେବେ ଏଥର ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ସହ ପଞ୍ଚମ ଥର ପାଇଁ ଉମେଶ ସଭାପତି ଆସନ ଅଳଙ୍କୃତ କରିଛନ୍ତି। ତେବେ ଚାଷୀ ଯେମିତି ଲାଭାନ୍ଵିତ୍ ହୋଇ ପାରିବେ ସେ ଦିଗରେ ପ୍ରାଥମିକତା ଦେବାକୁ କହିଛନ୍ତି ନବନିର୍ବାଚିତ ସଭାପତି ଉମେଶ ପଧାନ।
କେବଳ ସମବାୟ ସମିତି ନୁହେଁ, ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ବେଶ୍ ଗୋଟି ଚାଳନା କରନ୍ତି। ଏପରିକି ପୁଇଁତଲା ବ୍ଲକରେ ତାଙ୍କ ଭାଇ ସରୋଜ ପଧାନ ଅଧକ୍ଷ ପଦ ହାତେଇବା ପଛରେ ତାଙ୍କ ପ୍ରତ୍ୟକ୍ଷ ହାତ ରହିଛି। ୨୦୨୨ ନିର୍ବାଚନରେ ଲୋକାପଡା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କୁ ଜିତାଇ ନିଜର ଦବଦବା ଜାହିର ରଖିଛନ୍ତି। ଏହା ପୂର୍ବରୁ ଗତ ୨୦୧୭ ମସିହାରେ ମଧ୍ୟ ସରପଞ୍ଚ ପ୍ରାର୍ଥୀ ଦେଇ ବିଜୟୀ କରିଥିଲେ ଉମେଶ। ନିଜେ ପଂଚାୟତ ନିର୍ବାଚନରେ ଭାଗ ନେଉନଥିଲେ ମଧ୍ୟ ପରୋକ୍ଷ ଭାବରେ ପ୍ରାର୍ଥୀ ଦେଇ ବିଜୟୀ କରିବାରେ ତାଙ୍କ ମୁଖ୍ୟ ଭୂମିକା ରହିଛି।
