ଏନ୍ଏନ୍ ବ୍ୟୁରୋ। ଲାଞ୍ଚ ହେଲା କାଳ। ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଲାଞ୍ଚୁଆ ଅଧିକାରିଣୀ। ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ୧୯ ହଜାର ୮୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଇସିଡିଏସ ସୁପରଭାଇଜର। ଗିରଫ ଅଭିଯୁକ୍ତ ଜଣକ ହେଲେ କୁନି ନାଏକ। ବଲାଙ୍ଗିର ଜିଲ୍ଲା ରୋତ୍ ଓ ଭରସୂଜା ସେକ୍ଟରର ଆଇସିଡିଏସ ସୁପରଭାଇଜର ଅଛନ୍ତି କୁନି। ହେଲେ ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ଅଙ୍ଗନବାଡ଼ି ପରିଚାଳନା ପାଇଁ ବକେୟା ବିଲ କରିବାକୁ ସୁପରଭାଇଜର ୮ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ୧୯ ହଜାର ୮୦୦ ଟଙ୍କା ଦାବି କରିଥିଲେ। ଏନେଇ ଅଙ୍ଗନବାଡ଼ି କର୍ମୀମାନେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ପୂର୍ବଯୋଜନା ଅନୁସାରେ ଆଜି ଲାଞ୍ଚ ନେଉଥବା ବେଳେ ସୁପରଭାଇଜର କୁନି ନାଏକକୁ ଗିରଫ କରିଛି ଭିଜିଲାନ୍ସ। ଏବଂ ଲାଞ୍ଚ ନେଇଥିବା ସବୁ ଟଙ୍କା ଜବତ କରାଯାଇଛି। ଏଥିସହ ତାଙ୍କ ବାସଭବନ ସହ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ। ତେବେ ଗିରଫ କୁନି ନାଏକଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।
