ନବନୀତା ବ୍ୟୁରୋ। ପଶ୍ଚିମରେ ଥମୁନି କରୋନା। ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ଏଯାଏ ପଶ୍ଚିମ ଓଡ଼ିଶାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦୫୦କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୦୬ ସକ୍ରିୟ ରୋଗୀ ରହିଛନ୍ତି। ତେବେ କେବଳ ବରଗଡ଼ ଜିଲ୍ଲାରେ କରୋନା ରୋଗରେ ଜଣଙ୍କ ମୃତ୍ୟୁ ଘଟିଛି।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ଆଜି ରାଜ୍ୟରେ ସର୍ବକାଳୀନ ରେକର୍ଡ଼ କରିଛି ନୂଆ ରୋଗୀ ଚିହ୍ନଟ। ଗୋଟିଏ ଦିନରେ ୫୬୧ ରୋଗୀ ଚିହ୍ନଟ ସହ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଚିହ୍ନଟ ରୋଗୀ ମଧ୍ୟରୁ ୪୨୬ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୩୬ ସ୍ଥାନୀୟ ସଂକ୍ରମଣ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏପଟେ ପଶ୍ଚିମ ଓଡ଼ିଶାରେ ବେକାବୁ ହେବାରେ ଲାଗିଛି କରୋନା ସ୍ଥିତି। ପ୍ରତିଦିନ ଅଧିକାଂଶ ଜିଲ୍ଲାରୁ ନୂଆ ନୂଆ ରୋଗୀ ଚିହ୍ନଟ ହେବାରେ ଲାଗିଛି। ଗତକାଲି ପାଖାପାଖି ୩୯ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ୫୮ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ବରଗଡ଼ ଜିଲ୍ଲାରେ ସର୍ବାଧିକ ୨୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିର ଜିଲ୍ଲାରେ ୧୯, ଝାରସୁଗୁଡାରେ ୨, କଳାହାଣ୍ଡିରେ ୫, ସମ୍ବଲପୁରରେ ୮ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ଏବେ ନଜର ପକାଇବା ପଶ୍ଚିମ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଶୀର୍ଷରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ମୋଟ ୨୨୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୭୬ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୪୪ ସକ୍ରିୟ ରୋଗୀ ରହିଛନ୍ତି। ତା ତଳକୁ ରହିଛି ବଲାଙ୍ଗିର ଜିଲ୍ଲା। ଚିହ୍ନଟ ୨୧୩ ରୋଗୀ ମଧ୍ୟରୁ ୧୫୩ ସୁସ୍ଥ ହୋଇଥିବା ବେଳେ ୬୦ ସକ୍ରିୟ ରୋଗୀ ରହିଛନ୍ତି। ତେବେ ଉଭୟ ଜିଲ୍ଲାରେ କରୋନା ରୋଗୀ ସଂଖ୍ୟା ଦୁଇ ଶହ ଟପି ସାରିଛି। ଏହାପରେ ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଝାରସୁଗୁଡ଼ାରେ ୧୨୦ରୁ ୪୯ ସୁସ୍ଥ, ୭୧ ସକ୍ରିୟ ଏବଂ ବରଗଡ଼ରେ ୧୩୧ରୁ ୬୪ ସୁସ୍ଥ, ୬୬ ସକ୍ରିୟ ଓ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ନୂଆପଡାରେ ୮୨ରୁ ୭୮ ସୁସ୍ଥ, ୪ ସକ୍ରିୟ, କଳାହାଣ୍ଡିରେ ୭୬ରୁ ୭୦ ସୁସ୍ଥ, ୬ ସକ୍ରିୟ, ଦେବଗଡରେ ୬୨ରୁ ୪୨ ସୁସ୍ଥ, ୨୦ ସକ୍ରିୟ, ବୌଦ୍ଧରେ ୪୫ରୁ ୪୦ ସୁସ୍ଥ, ୫ ସକ୍ରିୟ ଏବଂ ସୁବର୍ଣ୍ଣପୁରରେ ୩୭ରୁ ୩୫ ସୁସ୍ଥ ଓ ୨ ସକ୍ରିୟ ରୋଗୀ ରହିଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ମୋଟ କରୋନା ରୋଗୀ ସଂଖ୍ୟା ୮,୧୦୬କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୫୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୩୬୪ ଜଣ ସକ୍ରିୟ ରୋଗୀ ରହିଛନ୍ତି। ତେବେ ଏଯାଏ କରୋନାରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
