ନବନୀତା ବ୍ୟୁରୋ । ଖବର ପ୍ରକାଶ ପରେ ବିଭାଗର ଚେତା ପଶିଲା । ବିଭାଗୀୟ ଏସ୍ଡିଓ ଓ ଯନ୍ତ୍ରୀ ଗାଁକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସୋନପୁର ଜିଲ୍ଲା ତରଭା ଗ୍ରାମ୍ୟ ଉନ୍ନୟନ ବିଭାଜନ ଦାୟିତ୍ୱରେ ଥିବା ଏସ୍ଡିଓ ଓ କନିଷ୍ଠ ଯନ୍ତ୍ରୀ ବିଲାଇସର୍ଡା ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଏବଂ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ସହ ନିର୍ମାଣାଧୀନ ହୋମ ପାଇପ ନିକଟରେ ଆଉ ଏକ କଲଭର୍ଟ ତିଆରି କରିବାକୁ କହିଥିଲେ ଉଭୟ ଯନ୍ତ୍ରୀ ଓ ଏସ୍ଡିଓ ।
ବଲାଙ୍ଗିର ଜିଲ୍ଲା ବିଲାଇସର୍ଡା ସୁକତେଲ ନଦୀରେ ବିଜୁ ସେତୁ ନିର୍ମାଣରେ ଠିକାଦାରର ମନମାନି ନେଇ ଜୁଲାଇ ୧ ତାରିଖରେ ନବନୀତା’ରେ ଖବର ପ୍ରକାଶ ପାଇଥିଲା । ଠିକାଦାର ପବନ କୁମାର ଅଗ୍ରୱାଲଙ୍କ ମନମୁଖି କାମ ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡ଼ିବା ଆଶଙ୍କାରେ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ । କଲଭର୍ଟ ପରିବର୍ତ୍ତେ ହୋମ ପାଇପ୍ ବହୁ ଉଚ୍ଚତାରେ ବସା ଯାଇଥିବାରୁ ଚାଷ ଜମିରେ ପାଣି ଜମି ରହିଥିଲା । ଏପରିକି ଏବେ କମ୍ ବର୍ଷାରେ ଜମିରେ ଏଭଳି ପରିସ୍ଥିତି ହୋଇଥିବାରୁ ଆଗକୁ ଆହୁରି ସଂଗୀନ ହେବା ସମ୍ଭାବନା ରହିଛି । ଫଳରେ ୧୫/୨୦ ଚାଷୀର ୬୦ରୁ ଅଧିକ ଏକର ଚାଷ ଜମି ପାଣିରେ ବୁଡ଼ିବା ଆଶଙ୍କା ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଥିଲା । ଏନେଇ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଉନଥିଲା । ପରେ ଏନେଇ ଚାଷୀମାନେ ନବନୀତା’ ନ୍ୟୁଜ ସଂପାଦକଙ୍କ ସହ ଯୋଗାଯୋଗ କରି ଘଟଣା ସଂପର୍କରେ କହିଥିଲେ ।
ଖବର ପାଇ ନବନୀତା ଟିମ୍ ଚାଷୀଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାସ୍ଥଳକୁ ଯାଇଥିଲା । ଜଳ ନିଷ୍କାସନ ପାଇଁ ପୋଖରୀରେ କଲଭର୍ଟ ପରିବର୍ତ୍ତେ ତିନୋଟି ହୋମ୍ ପାଇପ୍ ବସା ଯାଇଥିଲା । ହେଲେ ତାହା ବହୁ ଉଚ୍ଚତାରେ ବସା ଯାଇଥିବାରୁ ଚାଷ ଜମିରେ ପାଣି ଜମି ରହୁଛି । ଫଳରେ ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରି ନପାରିବା ସହ କିଛି ଚାଷୀର ତଳି ମଧ୍ୟ ନଷ୍ଟ ହୋଇ ଯାଇଛି । କେବଳ ଏତିକି ନୁହେଁ, ବର୍ଷା ଦିନେ ୧୫/୨୦ ଚାଷୀର ୬୦ରୁ ଅଧିକ ଏକର ଚାଷ ଜମିରେ ଜଳମଗ୍ନ ହେବା ସ୍ୱଭାବିକ । ଏନେଇ ସ୍ଥାନୀୟ ଚାଷୀ ତଥା ଯୁବ ନେତା ଭରତ ଭୂଷଣ ପ୍ରଧାନ କହିଥିଲେ ଯେ, କଲଭର୍ଟକୁ ହଟାଇ ହୋମ ପାଇପ୍ ବସା ଯାଇଥିବାରୁ ବର୍ଷା ଦିନରେ ପୋଖରୀ ଉପରମୁଣ୍ଡରେ ଥିବା ଚାଷ ଜମିରେ ମାଡ଼ି ରହିବ । ଏହାଦ୍ୱାରା ୬୦ରୁ ଅଧିକ ଏକର ଜମିର ଚାଷ ନଷ୍ଟ ହେବା ସହ ଚାଷୀ ତଳିତଳାନ୍ତ ହୋଇଯିବେ । ସେହିପରି ଅନ୍ୟ ଜଣେ ଚାଷୀ ଅଇଁଠୁ ପଧାନ ମଧ୍ୟ ସେହି ସମାନ ଅଭିଯୋଗ କରିଥିଲେ । ଏବଂ ହୋମ୍ ପାଇପ୍ ପରିବର୍ତ୍ତେ ବକ୍ସ ପେଟେନ କଲଭର୍ଟ ନିର୍ମାଣ କରିବାକୁ ଚାଷୀ ଦାବି କରିଥିଲେ ।
ଚାଷୀଙ୍କ ଅଭିଯୋଗ ନେଇ ସଂପୃକ୍ତ ଠିକାଦାର ପବନ କୁମାର ଅଗ୍ରୱାଲ, ବିଭାଗର ନିର୍ବାହୀ ଯନ୍ତୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା । ଏନେଇ ଠିକାଦାର ହାତ ଟେକି ଦେଇଥିବା ବେଳେ ନିର୍ବାହୀ ଯନ୍ତ୍ରୀ ଘଟଣାର ଅନୁଧ୍ୟାନ କରିବାକୁ କହିଥିଲେ । ଏବଂ ଗୁରବାର ବିଭାଗର ଏସ୍ଡିଓ ଓ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଚାଷୀଙ୍କ ସହ ଆଲୋଚନା କରିବା ପରେ ଦାବି ମୁତାବକ ହୋମ୍ ପାଇପ୍ ନିକଟରେ ଆଉ ଏକ କଲଭର୍ଟ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ଚାଷୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଯଦି ପ୍ରତିଶୃତି ଅନୁଯାୟୀ କଲଭର୍ଟ ନିର୍ମାଣ ନ ହୁଏ ତାହେଲେ ଆଗାମୀ ଦିନରେ ପୁଣି ରାସ୍ତାକୁ ଓହ୍ଲାଇବାକୁ ଚାଷୀ ଚେତାବନୀ ଦେଇଛନ୍ତି ।
ସେପଟେ ସୋନପୁର ଗ୍ରାମ୍ୟ ଉନ୍ନୟନ ବିଭାଜନର ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ଏଯାଏ ତଦନ୍ତ ରିପୋର୍ଟ ହସ୍ତଗତ ହୋଇନି । ବିଭାଗୀୟ ଜେଇ ଓ ଏସ୍ଡିଓଙ୍କଠାରୁ ରିପୋର୍ଟ ଆସିବା ପରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି ।
