ଦିଲ୍ଲୀ: ନଳକୂଅ ଭିତରେ ୧୦୯ ଘଂଟାର ସଂଘର୍ଷ । ୬ ଜୀବନ କାଳ ଜୀବନ ସହ ଯୁଝି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ୨ ବର୍ଷିୟ ଶିଶୁ ଫତେହବୀର ସିଂହ । ପଂଜାବର ସଂଗରୁର ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୀର୍ଘ ୬ ଦିନ ଧରି ନଳକୂଅ ଭିତରେ ଫସି ରହିଥିବା ଫତେହବୀରକୁ ମଂଗଳବାର ସକାଳେ ବାହାର କରାଯାଇଥିଲା । ଏନଡିଆରଏଫ୍, ପୋଲିସ ୧୦୯ ଘଂଟା ଧରି ନନଷ୍ଟପ୍ ଉଦ୍ଦାର କାର୍ଯ୍ୟରେ ଲାଗି ତାଙ୍କୁ ନଳକୂଅରୁ ବାହାର କରିବାରେ ସଫଳ ହୋଇଥିଲେ । ହେଲେ କୋମଳମତି ଶିଶୁର ଜୀବନ ବଂଚାଇ ପାରିନଥିଲେ । ଫତେହବୀରକୁ ନଳକୂଅରୁ ବାହାର କରିବା ପରେ ତୁରନ୍ତ ତାଙ୍କୁ ଆଂବୁଲାନ୍ସରେ ଡିଏମ୍ସି ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚଣ୍ଡିଗଡ଼ ପିଜିଆଇକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପତେହବୀକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି । ରାଜ୍ୟ ସରକାର ଓ ପ୍ରଶାସନର ଅଣଦେଖା ସହ ଅତ୍ୟାଧୁନିକ କୌଶଳ ବ୍ୟବହାର କରାଯାଇନଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସଂଗରୁର ଏବଂ ଭଗବାନପୁର ଗାଁରେ ମଧ୍ୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଗୁରବାର ଅପରାହ୍ନ ସାଢ଼େ ୪ଟାରେ ଖେଳୁଥିବା ବେଳେ ଫତେହବୀର ୧୪୦ ଫୁଟ ଗଭୀର ନଳକୂଅରେ ପଡିଯାଇଥିଲା । ଏ ସମୟରେ ମା ଉପସ୍ଥିତ ଥିଲେ ମଧ୍ୟ ପୁଅକୁ ରକ୍ଷା କରି ପାରିନଥିଲେ । ପରେ ପୋଲିସ ଓ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳକୁ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ୬ ଦିନ ଧରି ଉଦ୍ଧାର କାର୍ଯ୍ୟ କରିବା ପରେ ଶେଷରେ ଫତେହବୀରକୁ ଦଉଡ଼ି ମାଧ୍ୟମରେ ନଳକୂଅରୁ ବାହାର କରାଯାଇଥିଲା । ହେଲେ ତାଙ୍କ ଜୀବନ ବଂଚାଇ ପାରିନଥିଲେ ।..
