ଦିଲ୍ଲୀ: ପ୍ରବଳ ରୌଦ୍ରତାପରେ ସିଝୁଥିବା ଲୋକଙ୍କୁ ଆଶ୍ୱସ୍ତି । ଶନିବାର ଦ୍ୱିପହରରେ କେରଳ ନିକଟରେ ମୌସୁମୀ ଛୁଇଁଛି । ମୌସୁମୀ ଛୁଇଁବା ପରେ କେରଳର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଏଥିସହ ସମୁଦ୍ରକୂଳିଆ ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଦିଆଯାଇଛି । ଆଇଏମ୍ଡିର ପୂର୍ବାନୁମାନ ଅନୁଯାୟୀ ଶନିବାର ମୌସୁମୀ କେରଳରେ ଛୁଇଁଛି । ଏହାପରେ ଦେଶର ଅନ୍ୟ ଅଂଚଳକୁ ମୌସୁମୀ ଛୁଇଁବ ।
ବିଶେଷ କରି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ମାସ ପ୍ରଥମ ସପ୍ତାହରେ କେରଳ ଛୁଇଁଥାଏ । ହେଲେ ଚଳିତ ବର୍ଷ ଏହା ୮ ଦିନ ବିଳମ୍ବରେ ଭାରତରେ ପ୍ରବେଶ କରିଛି । ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ନେଇ ଅନିୟମିତତା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଉପକୂଳରେ ଘଂଟା ପ୍ରତି ୩୫ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଜୁନ୍ ତୃତୀୟ ସପ୍ତାହ ଶେଷ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାରେ ପହଂଚିବା ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଜୁନ୍ ୯ (ରବିବାର) ବେଳକୁ କେରଳ ଓ କର୍ଣ୍ଣାଟକ ଉପକୂଳ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଅଧିକ ସକ୍ରିୟ ହେବ ମୌସୁମୀ । ଏଥିସହ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଏହା ଗତି କରିବ । ଏସମୟରେ ଉତ୍ତର ପୂର୍ବାଂଚଳ ରାଜ୍ୟଗୁଡିକରେ ମଧ୍ୟ ଦକ୍ଷିଣ ମୌସୁମୀ ବାୟୁ ସକ୍ରିୟ ହୋଇପାରେ । ଏହାର ପ୍ରଭାବରେ ୪ରୁ ୫ ଦିନ ପର୍ଯ୍ୟନ୍ତ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ପଶ୍ଚିମ ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା୧୦ ତାରିଖ ଯାଏଁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ବିଦର୍ଭରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
କେରଳ ଛୁଇଁଲା ମୌସୁମୀ, ପ୍ରବଳ ରୌଦ୍ରତାପରୁ ମିଳିବ ଆଶ୍ୱସ୍ତି
