ନବନୀତା ବ୍ୟୁରୋ। ଗଞ୍ଜାମରେ ଅଣାୟତ୍ତ କରୋନା। ଗଞ୍ଜାମରେ ୫୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାର ମୋଟ ରୋଗୀ ସଂଖ୍ୟା ୨୧୦ କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୨୦୯ ଜଣ ସକ୍ରିୟ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବାଲେଶ୍ଵରରେ ୩୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି। ଏଥିସହ ଜିଲ୍ଲାରେ ୯୦କୁ ବୃଦ୍ଧି ପାଇଛି କରୋନା ରୋଗୀ ସଂଖ୍ୟା। ତନ୍ମଧ୍ୟରୁ ୭୯ ରୋଗୀ ସକ୍ରିୟ ଥିବା ବେଳେ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କେବଳ ଏତିକି ନୁହେଁ, ଯାଜପୁର ଓ ସୁନ୍ଦରଗଡରେ ୭ ଲେଖାଏଁ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଯାଜପୁରରେ ୭୧ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୩୮ ସକ୍ରିୟ ରହିଥିବା ବେଳେ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେପଟେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ୨୩କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା। ସେଥି ମଧ୍ୟରୁ ୧୩ ଜଣ ସକ୍ରିୟ ଥିବା ବେଳେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ସ୍ଥିର ରହିଛି। ଅନେକ ଦିନ ବ୍ୟବଧାନରେ ଗୋଟିଏ ଦୁଇଟି ରୋଗୀ ଚିହ୍ନଟ ହେଉଛନ୍ତି। କିନ୍ତୁ ତାଠାରୁ ଯଥେଷ୍ଟ ଲୋକ ସୁସ୍ଥ ହୋଇ ଘରକୁ ଫେରୁଥିବା ନଜିର ରହିଛି। ଏଯାଏ ଜିଲ୍ଲାରେ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣ ରୋଗୀ ସକ୍ରିୟ ରହିଛନ୍ତି। ହେଲେ ଘାତକ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ତେବେ ରାଜ୍ୟରେ ପ୍ରତିଦିନ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ୫୨, ବାଲେଶ୍ବରରେ ୩୩, ଯାଜପୁରରେ ୭, ସୁନ୍ଦରଗଡ ୭ ଓ କେନ୍ଦୁଝରରୁ ୨ ନୂଆ କରୋନା ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ସେଞ୍ଚୁରି କରୋନା ଚିହ୍ନଟ ପରେ ରାଜ୍ୟରେ ୫୩୮କୁ ବୃଦ୍ଧି ପାଇଛି ରୋଗୀ ସଂଖ୍ୟା। ସେ ମଧ୍ୟରୁ ୪୧୯ ଜଣ ରୋଗୀ ସକ୍ରିୟ ଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ମହାମାରୀ କରୋନାରେ ଏଯାଏ ୩ ଜଣଙ୍କ ମୃତ୍ୟୁ ଘଟିଛି।
