ଭୁବନେଶ୍ୱର: ରାଷ୍ଟ୍ରୀୟ ବିଜେପି ସଭାପତି ରେସ୍ରେ ଜେପି ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନ । ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଶାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବ । ମୋଦିଙ୍କ କ୍ୟାବିନେଟରେ ଯଦି ଶାହା ସାମିଲ ହୁଅନ୍ତି, ତାହେଲେ ତାଙ୍କୁ ଦଳୀୟ ସଭାପତି ପଦ ଛାଡିବାକୁ ପଡ଼ିବ । ବିଜେପି ନୀତି ଅନୁସାରେ ଜଣେ ବ୍ୟକ୍ତି କେବଳ ଗୋଟିଏ ପଦବୀରେ ରହି ପାରିବ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଶାହା ମନ୍ତ୍ରିମଣ୍ଡଳରେ ସାମିଲ ହେଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କିମ୍ବ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଅଧ୍ୟକ୍ଷ ପଦ ମିଳିବାର ସମ୍ଭାବନା ଅଧିକ ରହିଛି । ଦିନକ ପରେ ସ୍ପଷ୍ଟ ହୋଇଯିବ କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଶାହା ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ବିଜେପି ସ୍ଥିତିକୁ ଅଧିକ ମଜବୁତ କରିଛନ୍ତି । ପ୍ରତ୍ୟେକ ନିର୍ବାଚନରେ ନିଜର ଯାଦୁ ଦେଖାଇବା ସହ ପୌରପାଳିକା, ବିଧାନସଭା ଓ ଲୋକସଭାରେ ଅଦ୍ଭୁତପୂର୍ବ ସଫଳତା ପାଇବାରେ ସକ୍ଷମ ହୋଇଛି । ଏଥିସହ ଶାହା ବିଜେପିର ସବୁଠୁ ବଡ଼ ସଫଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି । ଏନେଇ ଜଳର ଜଣେ ବରିଷ୍ଠ ନେତା ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ମୋଦିଙ୍କ ଦ୍ୱିତୀୟ ଇନିଂସରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ ହେବାକୁ ଥିବାରୁ ଶାହାକୁ ମୋଦି କ୍ୟାବିନେଟରେ ସାମିଲ କରାଯିବା ନେଇ ଜୋରସୋର ଚର୍ଚ୍ଚା ଚାଲିଛି । ସପ୍ତଦଶ ଲୋକସଭା ନିର୍ବାଚନରେ ଶାହା ଗାନ୍ଧିନଗର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ।
ସଭାପତି ରେସରେ ଜେପି ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନ
