ତାଳଚେର ଏମସିଏଲରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ !

ଓଡ଼ିଶା

ଭୁବନେଶ୍ୱର: ଏମସିଏଲରେ ପୁଣି ଅଘଟଣ । ଅନୁଗୋଳ ଜିଲ୍ଳା ତାଳଚେର ଏମସିଏଲ କୋଇଲା ଖଣିରେ ଗାଡ଼ି ଧକ୍କାରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଳମଛୁଇଁ ଗାଁର କୈଳାସ ମହାରଣା । ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟଣାକୁ ନେଇ ଖଣି ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଜଣେ ସଦସ୍ୟଙ୍କୁ ଚାକିରି ଦେବା ଦାବି କରିଛନ୍ତି ଶ୍ରମିକମାନେ । କୈଳାସ ତାଳଚେର ଏମସିଏଲ କୋଇଲା ଖଣିରେ କାମ କରନ୍ତି । ସୋମବାର ରାତିରେ ଖଣିରେ ନାଇଟ ଡ୍ୟୁଟି କରୁଥିଲେ କୈଳାସ । ହେଲେ ଭୋରରେ ପାସ୍ ଯାଇଥିବା ବେଳେ ଏକ ହାଇୱା ଗାଡ଼ି ତାଙ୍କ ମୁଣ୍ଡ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ କେନ୍ଦ୍ର କରି ଖଣିରେ ଗାଡ଼ି ଚଳାଚଳ ବନ୍ଦ ରହିବା ସହ କ୍ଷତିପୂରଣ ଦାବିରେ ଖଣିକୁ ମଧ୍ୟ କରି ଦିଆଯାଇଛି । ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ଦେବା ଦାବିରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରତିଶ୍ରୁତି ନ ମିଳିବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଛାନଭିନ୍ ଆରମ୍ଭ କରିଛି । ସେପଟେ ଏନେଇ ଏମସିଏଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।…