ନବନୀତା ବ୍ୟୁରୋ। ସଙ୍କଟରେ ମିଡ଼ିଆ ଶିଳ୍ପ। ଏବେ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଏହାର ସିଧା ପ୍ରଭାବ ପଡିଛି ମିଡ଼ିଆ ଶିଳ୍ପ ଉପରେ। ଅନେକ ମିଡ଼ିଆ କମ୍ପାନୀ କର୍ମଚାରୀଙ୍କୁ ଛଟେଇ ବି କରିଛନ୍ତି। ତେବେ ଓଡ଼ିଶାର ସ୍ଥିତି ସଙ୍ଗୀନ। ହାତଗଣତି କିଛି ସଂସ୍ଥାକୁ ଛାଡ଼ି ଦେଲେ ବାକି ଅନ୍ୟ କେଉଁ ସଂସ୍ଥାରେ ନିୟମିତ ଭାବେ ଦରମା ପ୍ରଦାନ କରାଯାଉନି। ବରଂ ମନ ଇଚ୍ଛା କର୍ମଚାରୀ ଛଟେଇ ଅଭିଯାନ କରୁଛନ୍ତି ମାଲିକ। ସ୍ଥିତି ଏମିତି ହେଲାଣି ଯେ, ସାମ୍ବାଦିକତାକୁ କେହି ବୃତ୍ତି ଭାବେ ଗ୍ରହଣ କରିବା ଆଉ ସମ୍ଭବପର ନୁହେଁ। ଏପରିକି ନିକଟରେ ଦୁଇଟି ସଂସ୍ଥା ଆରମ୍ଭ ପୂର୍ବରୁ ବନ୍ଦ ହୋଇଥିବାରୁ ସାମ୍ବାଦିକଙ୍କ ମନରେ ଛନକା ପଶିଯାଇଛି।

ଏବେ ମିଡ଼ିଆ ଶିଳ୍ପ ନିଜସ୍ଵ ନିୟନ୍ତ୍ରଣରେ ନାହିଁ। ବ୍ୟବସାୟିକ ନୁହେଁ, ବରଂ ମିଡ଼ିଆ ଏବେ ରାଜନୈତିକ କୈନ୍ଦ୍ରିକ ପାଲଟିଗଲାଣି। ରୀମୋଟ କଣ୍ଟ୍ରୋଲ ଭଳି ଅନ୍ୟ ଦ୍ଵାରା ନିୟନ୍ତ୍ରିତ ହେଉଛି ମିଡ଼ିଆ। ଏହାର ପ୍ରମୁଖ କାରଣ ପ୍ରାୟ ଅଧିକାଂଶ ମିଡ଼ିଆର ମାଲିକ ହେଉଛନ୍ତି ରାଜନୈତିକ ଦଳର ନେତା। ତାଙ୍କ ଦଳ ମୁଖିଆକୁ ସୁହାଇବା ଭଳି ଖବର ପରିବେଷଣ କରାଯିବା ସହ ତାଙ୍କ ସ୍ବାର୍ଥ ପାଇଁ ବଳି ପଡୁଛି ବିଚରା ସାମ୍ବାଦିକ। ରେଟିଂ ବଢ଼ିଲେ କର୍ମଚାରୀଙ୍କୁ ସବାସି। କମ୍ପାନୀ ପ୍ରତି ଅଙ୍ଗୁଳି ଉଠିଲେ କର୍ମଚାରୀଙ୍କୁ ଚାକିରିରୁ ବିଦା। ସ୍ୱାର୍ଥପର ମାଲିକଙ୍କ ଦଲାରି ଯୋଗୁ ସଙ୍କଟରେ ସାମ୍ବାଦିକତା ବୃତ୍ତି।
ନିକଟରେ ଦୁଇଟି ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ଲୋକାର୍ପଣ ଆଗରୁ ସଟର ପଡ଼ିଛି। ସେ ମଧ୍ୟରୁ ଓଡ଼ିଶା ନ୍ୟୁଜ ୯ ସଂସ୍ଥା ଗୋଟିଏ। ସଂସ୍ଥାର ମାଲିକ ତଥା ଶିକ୍ଷା ବ୍ୟବସାୟ କରୁଥିବା ବଦ୍ରି ନାରାୟଣ ପଟ୍ଟନାୟକ ନ୍ୟୁଜ ୯ ସଂସ୍ଥାରେ ୫୦ ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ଲାଇସେନ୍ସ ନଥାଇ ଅପ୍ କମିଂ ଚାନେଲ ନାମରେ ଅନେକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ଯୋଗୁଁ ପରବର୍ତ୍ତୀ ସମୟରେ ଉକ୍ତ ସଂସ୍ଥା ସଟର ପକାଇ ଦେଇଥିଲା। ସଂସ୍ଥାର ମାଲିକ ବଦ୍ରି ନାରାୟଣ ପଟ୍ଟନାୟକ କର୍ମଚାରୀଙ୍କୁ ଅତି ସରଳ, କୋମଳ ବଚନ କହି ନିଜ ସଂସ୍ଥାକୁ ଡାକି ମିଥ୍ୟା ପ୍ରତିଶ୍ରୁତି ଦେଇ ଅନେକ ଅଭିଜ୍ଞ କର୍ମଚାରୀଙ୍କୁ ଜାଲରେ ଫସାଇବାରେ ସକ୍ଷମ ହୋଇଥିଲେ ବି ସଂସ୍ଥା ଅଧାରେ ବନ୍ଦ ହୋଇଯାଇଥିଲା। ସଂସ୍ଥା ମାଲିକ ଅନ୍ୟ ଦ୍ଵାରା ପରିଚାଳିତ ହେବା ସହ ମିଡ଼ିଆରେ ସମ୍ପୂର୍ଣ ଅନଭିଜ୍ଞ, କର୍ମଚାରୀଙ୍କୁ ଅବିଶ୍ବାସ, କମ୍ ଖର୍ଚ୍ଚରେ ଅଧିକ ଉପାର୍ଜନ ଲାଳସା ଏବଂ କର୍ମଚାରୀଙ୍କୁ ହୀନ ଦୃଷ୍ଟିରେ ଦେଖିବା କାରଣରୁ ସଂସ୍ଥା ତିଷ୍ଠି ପାରିଲା ନାହିଁ। ମିଡ଼ିଆ କ୍ଷେତ୍ରରେ କିଛି ଅଭିଜ୍ଞତା ନଥାଇ ମିଡ଼ିଆ ଜଗତରେ ପ୍ରବେଶ କଲେ ଏମିତି ହେବା ସ୍ଵାଭାବିକ। ହେଲେ ଅନଭିଜ୍ଞ ମାଲିକ ଯୋଗୁଁ ଅନେକ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇ ଯାଇଛି।
ଏଠି ପ୍ରଶ୍ନ ଉଠୁଛି, ଯଦି ଲାଇସେନ୍ସ ନ ଥିଲା ତାହେଲେ ପିଲାଙ୍କ ଭବିଷ୍ୟତ ଉପରେ ଖେଳିବା ପଛର ରହସ୍ୟ କଣ ? ମିଡ଼ିଆ ନାଁରେ ଜାଲି ସଂସ୍ଥା କରି ଅନେକ ପିଲାଙ୍କୁ ଧୋକ୍କା ଦେବା କଣ ଜଣେ ଉଚ୍ଚଶିକ୍ଷିତ ଶିକ୍ଷା ବେପାରୀ, ସମାଜରେ ନିଜକୁ ପ୍ରତିଷ୍ଠିତ ବୋଲାଉଥିବା ଡ. ବଦ୍ରି ନାରାୟଣ ପଟ୍ଟନାୟକଙ୍କ ଏହା ଅସଲ ଚେହେରା! ମିଡ଼ିଆ ଉପରେ ଅଭିଜ୍ଞତା ନ ଥିବା, ଅନ୍ୟ ଲୋକଙ୍କ ପ୍ରରୋଚନାରେ କାର୍ଯ୍ୟ କରିବା, ଅଧିକ ଉପାର୍ଜନ ଆଶାରେ ଅଣ ପେଶାଦାର ବ୍ୟକ୍ତି ଗଣମାଧ୍ୟମକୁ ଆସିବା ଦ୍ଵାରା ମିଡ଼ିଆ ଶିଳ୍ପ ବଦନାମ୍ ହେଉ ନାହିଁ କି? ଏଭଳି ବେଆଇନ କାର୍ଯ୍ୟ ଦ୍ଵାରା ମିଡ଼ିଆ ଶିଳ୍ପ କଳଙ୍କିତ ହେଉ ନାହିଁ କି? ତେବେ ଏନେଇ ବଦ୍ରି ନାରାୟଣ ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସେହିପରି ନ୍ୟୁଜ୍ ଏକ୍ସ ଓଡ଼ିଆ ଚାନେଲ୍ ମଧ୍ୟ ଲୋକାର୍ପଣ ଆଗରୁ ବନ୍ଦ ହୋଇଗଲା। ବିଭିନ୍ନ ସଂସ୍ଥା ଛାଡ଼ି ଏଥିରେ ଯୋଗ ଦେଇଥିବା ଅନେକ କର୍ମଚାରୀ ଚାକିରି ହରାଇଲେ। କାରଣ ଏହି ସଂସ୍ଥା ମଧ୍ୟ ଲୋକାର୍ପଣ ଆଗରୁ ସମ୍ପୂର୍ଣ ବନ୍ଦ ହୋଇଗଲା।କେବଳ ଏତିକି ନୁହେଁ, ନ୍ୟୁଜ ୱାଲ୍ଡ ଓଡ଼ିଶା ମଧ୍ୟ ବନ୍ଦ ହୋଇଗଲା। ବିଜେଡ଼ି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଲିଜରେ ନେଇ ସଂସ୍ଥା ଚଳାଇଥିଲେ। ସେ ସମୟରେ ବିଭିନ୍ନ ସଂସ୍ଥାରୁ ଚଢା ଦରରେ ପିଲାଙ୍କୁ ଟାଣି ଆଣି ଚାକିରି ଦିଆଯାଇଥିଲା। ଅଧିକ ଟଙ୍କା ଲୋଭରେ ପଡ଼ି ଅନେକ କର୍ମଚାରୀ ଆକର୍ଷିତ ହୋଇଥିଲେ। ହେଲେ କିଛି ଦିନ ଚାଲିବା ପରେ ଏହି ସଂସ୍ଥାରେ ବି ସଟର ପଡିଗଲା। ଫଳରେ କିଛି କର୍ମଚାରୀ ଚାକିରି ଛାଡ଼ି ଅନ୍ୟ ସଂସ୍ଥାରେ ଯୋଗ ଦେଇଥିବା ବେଳେ କିଛି ନିରୁପାୟ ହୋଇ ମନମାରି ପଡି ରହି ଥିଲେ।

୩ ବନ୍ଦ, ୧ ସଂସ୍ଥା ଆରମ୍ଭ
ଗତ ୨୦୧୯ ମସିହାରେ ତିନି ତିନିଟି ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଗଲା। ଦୀର୍ଘ ବର୍ଷ ଧରି ଖବର ପରିବେଷଣ କରୁଥିବା ନ୍ୟୁଜ ଓ୍ୱାଲ୍ଡ ଓଡ଼ିଶା ମିଡ଼ିଆ ସଂସ୍ଥା ବନ୍ଦ ହୋଇଗଲା। ଏଥିସହ ଅପକମିଂ ଓଡ଼ିଶା ନ୍ୟୁଜ ୯ ଓ ନ୍ୟୁଜ ଏକ୍ସ ଓଡ଼ିଆ ସଂସ୍ଥା ଆରମ୍ଭ ହେବା ଆଗରୁ ସଟର ପଡିଗଲା। ପରେ ନୂଆ ବର୍ଷରେ ନନ୍ଦିଘୋଷ ଟିଭି ଲୋକାର୍ପିତ ହୋଇଛି। ନ୍ୟୁଜ ୱାଲ୍ଡ଼ ଓଡ଼ିଶାରେ କାମ କରୁଥିବା ଅନେକ କର୍ମଚାରୀ ଏଥିରେ ଥଇଥାନ ହେଲେ। ତାସହ ଆଉ କିଛି କର୍ମଚାରୀ ଅନ୍ୟ ସଂସ୍ଥାରୁ ଆସି ଯୋଗ ଦେଇଛନ୍ତି। ତେବେ ଲୋକାର୍ପଣ ଉତ୍ସବରେ ସଂସ୍ଥାର ମାଲିକ ଦେଖିବାକୁ ମିଳିନଥିବାରୁ ସଂସ୍ଥାର ମାଲିକ କିଏ ତାହା କେହି ଜାଣି ପାରୁ ନାହାଁନ୍ତି। ଚର୍ଚ୍ଚା ହେଉଛି ସଂସ୍ଥାର ମାଲିକ ଜଣା ପଡ଼ିନଥିଲେ ବି ଏହି ସଂସ୍ଥା ପଛରେ ରାଜ୍ୟ ସରକାରଙ୍କ ଅଦୃଶ୍ୟ ହାତ ରହିଛି।
