୨୦ ବର୍ଷ ପରେ ଓବିସିଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ ନବୀନ!

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ଦୀର୍ଘ କୋଡ଼ିଏ ପରେ ପଛୁଆ ବର୍ଗ (ଓବିସି)ଙ୍କ କଥା ମନେ ପଡ଼ିଲା। ଚାକିରି, ଶିକ୍ଷାନୁଷ୍ଠାନରେ ସରଂକ୍ଷଣ ସୁବିଧା ସତ୍ତ୍ଵେ କୌଣସି ସୁବିଧା ନପାଇ ଅବଳେହିତ, ନିଷ୍ପେସିତ ଓ ଶୋଷିତ ହୋଇ ଆସୁଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କ ବ୍ୟଥା କଥାକୁ ଗଭୀର ଭାବେ ନେଇ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଏବଂ ଓବିସି କମିସନ୍ ଗଠନ କରିଛନ୍ତି। ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ ପଛୁଆ ବର୍ଗର ଲୋକେ ଫାଇଦା ପାଇବା ଆଶା ଟିକେ ଉଜ୍ଜ୍ୱଳ ଦେଖା ଯାଇଛି।

ଓବିସି କମିସନ ଅଧ୍ୟକ୍ଷ ଭାବେ ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଏହା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି OBC କମିସନ ଅଧ୍ୟକ୍ଷ ଜଷ୍ଟିସ୍‌ ରଘୁନାଥ ବିଶ୍ବାଳ। ସେ କହିଛନ୍ତି, ସରକାର ଦେଇଥିବା ଗୁରୁଦାୟିତ୍ବ ଯଥାସାଧ୍ୟ ନିର୍ବାହ କରିବା ସହ ଲୋକଙ୍କ ସୁବିଧା ପାଇଁ ସବୁ ପ୍ରକାର ଉଦ୍ୟମ କରିବି।

ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍ ନବନୀତା ରଥ, ପ୍ରଫେସର୍ ମିତାଳୀ ଚିନାରା ଓ ପ୍ରସନ୍ନ କୁମାର ପାତ୍ରଙ୍କୁ କମିସନ୍ ସଦସ୍ୟ ଭାବେ ମନୋନୀତ କରାଯାଇଛି। ସେହିପରି ଆଇଏଏସ ବୀର ବିକ୍ରମ ଯାଦବଙ୍କୁ କମିସନର ମେମ୍ବର ସେକ୍ରେଟାରୀ ଭାବେ ମନୋନୀତ କରିଛନ୍ତି ସରକାର।

ସେପଟେ OBC କମିସନ ଗଠନ ନେଇ BJD ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ପୂର୍ବରୁ ଜାତିଭିତ୍ତିକ ଜଣଗଣନା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ବୋଲି କହିଛନ୍ତି ପ୍ରତାପ ଦେବ। ଏଥିସହ OBCଙ୍କ ପାଇଁ କମିସନ କରିବା ପାଇଁ ବ୍ୟବସ୍ଥା କରିବାକୁ ନବୀନ କହିଥିଲେ। ଏବେ କମିସନ ଗଠନ ହେବା ପରେ ଏହା ରାଜ୍ୟର ଓବିସି ବର୍ଗଙ୍କୁ ସୁହାଇବ ବୋଲି ପ୍ରତାପ ଦେବ କହିଛନ୍ତି।

ଅନ୍ୟପଟେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି। ଏହା ଓବିସି ସମାଜର ଦୀର୍ଘ ଦିନର ଦାବି କାରଣରୁ ସମ୍ଭବ ହୋଇପାରି ଥିବା କହିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, ଦୀର୍ଘ ୩୦ ବର୍ଷ ଧରି ଓଡ଼ିଶାର ଓବିସି ଓ ଏସଇବିସି ବର୍ଗ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି। ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ସତ୍ତ୍ୱେ ଏହି ସମାଜକୁ ସେମାନଙ୍କ ଅଧିକାର ଦିଆଯାଇପାରିନ ଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ତେବେ ରାଜ୍ୟ ସରକାର ରାଜ୍ୟର ଏହି ବହୁସଂଖ୍ୟକ ସମାଜକୁ ସେମାନଙ୍କ ନାର୍ଯ୍ୟ ଅଧିକାର ଦେବା ପାଇଁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଏତେ ବର୍ଷ ପରେ ପଛୁଆ ବର୍ଗଙ୍କ କଥା ମନେ ପକାଇଲେ ନବୀନ। ଯାହା ବି ହେଉ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁଁ ପଛୁଆ ଲୋକେ ଏବେ ଆଗକୁ ବଢି ପାରିବେ। କାରଣ ରାଜ୍ୟରେ ଅଧିକାଂଶ ପଛୁଆ ବର୍ଗର ଲୋକେ ଥିବାରୁ ନବୀନ ଓବିସି କାର୍ଡ ଖେଳିଛନ୍ତି। ଆଗକୁ ଅର୍ବାନ ଏଲେକସନ୍ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଓବିସି କଥା ମନେ ପକାଇଥିବା ଚର୍ଚ୍ଚା ହେଉଛି।ତେବେ ଓବିସି କାର୍ଡ ଖେଳି ନବୀନ ପଟ୍ଟନାୟକ କେତେ ଫାଇଦା ଉଠାଉଛନ୍ତି ତାହା ଆସନ୍ତା ଅର୍ବାନ ନିର୍ବାଚନରେ ସ୍ପଷ୍ଟ ଜଣା ପଡ଼ିବ।